ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ନିଖୋଜ ୧୦ମ ଶ୍ରେଣୀ ଛାତ୍ରକୁ ଓଡ଼ଗାଁ ପୋଲିସ ଦିଲ୍ଲୀ ପାର୍ଲ୍ୟାମେଣ୍ଟ ହାଉସ ଷ୍ଟ୍ରିଟ ଥାନା ଲାଲକିଲା ନିକଟ ବଙ୍ଗଳା ସାହେବ ଅଞ୍ଚଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳକ ଛାତ୍ର ଜଣକ ଗତ ୧୨ତାରିଖରୁ ନିଖୋଜ ଥିଲା। ଓଡ଼ଗାଁ ପୋଲିସ୍ ଏକାଧିକ ଥର ଧରିବାକୁ ଉଦ୍ୟମ କରି ଅସଫଳ ହୋଇଥିଲେ ମଧ୍ୟ ସେପ୍ଟେମ୍ବର ମାସ ୩୦ ତାରିଖରେ ଦିଲ୍ଲୀରୁ ଉଦ୍ଧାର କରି ଓଡ଼ଗାଁ ଥାନାରେ ପହଞ୍ଚିବା ପରେ ପରିବାର ଲୋକେ ଆଶ୍ବସ୍ତ ହୋଇଥିଲେ।ପ୍ରଥମେ ନାବାଳକର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସମସ୍ତ ପ୍ରକ୍ରିୟା ସରିବା ପରେ ଓଡ଼ଗାଁ ପୋଲିସ ନାବାଳିକାକୁ ତାର ଅଭିଭାବକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଗତ ୧୨ ତାରିଖ ଶୁକ୍ରବାର ସକାଳ ୧୦ଟା ବେଳେ ସ୍କୁଲକୁ ଯାଉଛି ବୋଲି କହି ସ୍କୁଲ୍ ବ୍ୟାଗ୍ ନେଇ ନାବାଳକ ଜଣକ ଘରୁ ଆସିଥିଲା। ହେଲେ ସ୍କୁଲ୍ ଛୁଟି ପରେ ସେ ଘରକୁ ନଫେରିବାରୁ ଏ ସମ୍ପର୍କରେ ସନ୍ଧ୍ୟାରେ ନାବାଳକର ମା’ ପିଙ୍କି ସାହାଣୀ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଓଡ଼ଗାଁ ପୋଲିସ ୨୮୨/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ତ୍ବରିତ ଅନୁସନ୍ଧାନ ଆରମ୍ଭ କରିଥିଲେ। ଓଡ଼ଗାଁ ପୋଲିସର ଏଭଳି ପଦକ୍ଷେପକୁ ପରିବାର ଲୋକ ଓଡ଼ଗାଁ ପୋଲିସକୁ ପ୍ରଶଂସା କରିଛନ୍ତି।


