ନୟାଗଡ଼, (ଓଡ଼ିଶା ଲେଖା): ପରିବେଶର ସୁରକ୍ଷା, ସ୍ୱଚ୍ଛତା ଓ ସୁନ୍ଦରତା ସହିତ ନିଜ “ମାଆ” ପାଇଁ ନିଜେ ଗଛ ଟିଏ ଲଗାଇବା ଓ ଅନ୍ୟକୁ ଉତ୍ସାହିତ କରିବା ଅବସରରେ ବୁଧବାର ଦିନ ନୟାଗଡ଼ ପୌର ପରିଷଦ ତରଫରୁ ସଚେତନତା ରାଲି ସହର ପରିକ୍ରମା କରିଥିଲା l ସେପ୍ଟେମ୍ବର 17ତାରିଖରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଜି ଉଦଘାଟନ ହୋଇଯାଇଛି l ବୁଧବାର ସକାଳ 8ଟା ସମୟରେ ଜିଲ୍ଲା ପାଠାଗାର ଠାରୁ ସଚେତନତା ରାଲି ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହରକୁ ସ୍ୱଚ୍ଛତା ରଖିବା ପାଇଁ ସଚେତନତା କରାଇବା ସହ ବାର୍ତ୍ତା ବହ ସାଜିଥିଲା l

ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସମସ୍ତଙ୍କୁ ସ୍ୱଛତା ଓ ପ୍ଲାଷ୍ଟିକ ମୁକ୍ତ କରିବା ସହ ଗଛର ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ l ଶପଥ ପାଠୋତ୍ସବ ସରିବା ପରେ ସମସ୍ତେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ l ଏହି ମାରାଥନ ରାଲି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପୌର ପରିଷଦର ଯନ୍ତ୍ରୀ, କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସାମିଲ ହୋଇଥିଲେ l ପୌର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ସ୍ୱଚ୍ଛତା ସଚେତନତା ରାଲି ୩ ଶହରୁ ଉର୍ଦ୍ଧ ଜନସାଧାରଣ ସାମିଲ ହୋଇଥିଲେ l


