ନୟାଗଡ଼, (ଓଡ଼ିଶା ଲେଖା): ସକାଳର ବଡ଼ ଖବର। ଓଲଟିଲା ଯାତ୍ରୀବାହି ବସ କଣ୍ଡକ୍ଟର ସମେତ ପାଞ୍ଚ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ଆହାତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ଥାନା ଅନ୍ତର୍ଗତ ଜାମୁସାହି ନିକଟରେ। ସୂଚନାନୁସାରେ, ବାଲେନୋ ବସ ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବଲାଙ୍ଗିର ଅଭିମୁଖେ 30ରୁ ଉର୍ଦ୍ଧ ଯାତ୍ରୀ ନେଇ ଯାତ୍ରା କରୁଥିଲା। ତେବେ ଵାଣିଗୋଚ୍ଛା ଜାମୁସାହି ନିକଟରେ ଏକ ଟ୍ରକକୁ ଓଭରଟେକ କରିବାକୁ ଯାଇ ବାଲେନୋ ବସ ଟି 57ନଂ ଜାତୀୟ ରାଜପଥ ଉପରେ ଲେଉଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖବର ପାଇ ଵାଣିଗୋଚ୍ଛା ପୋଲିସ ଓ ଦଶପଲ୍ଲା ଅଗ୍ନିଶମ ବାହନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହାତ ମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବସର କଣ୍ଡକ୍ଟର ହାତ ଭାଙ୍ଗି ଗୁରୁତର ହୋଇଥିବା ବେଳେ ପାଞ୍ଚ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଥିବା ବେଳେ ଵାଣିଗୋଚ୍ଛା ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।


