ନୟାଗଡ଼, (ଓଡ଼ିଶା ଲେଖା): ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ କେନ୍ଦ୍ର କରି ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। କଲେଜ ପରିସରକୁ ବିଜେପି ଯୁବ ମୋର୍ଚ୍ଚାର ଯୁବକ ମାନେ ପୋଲିସକୁ ଠେଲା ପେଲା କରି ଓ ଗେଟ ଭାଙ୍ଗି ପ୍ରବେଶ କରି ନାରାବାଜି ଓ ଧାରଣା ଦେଇଥିବା ଅଭିଯୋଗ ପରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ କଲେଜ କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କରିଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁ କଲେଜରେ ପହଞ୍ଚି ପୋଲିସର କାର୍ଯ୍ୟକଳାପ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ପୋଲିସ ଉପସ୍ଥିତି ସତ୍ତ୍ୱେ କଲେଜ ପରିସରରେ କିପରି ଏଭଳି ପରିସ୍ଥିତି ସୃଷ୍ଟି ହେଲା ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପରିସ୍ଥିତି କାହିଁକି ଉପୁଜିଲା, ସେନେଇ ସେ ପୋଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଅରୁଣ । ପୋଲିସ ଅଧିକାରୀମାନେ ବିଧାୟକଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ପୋଲିସ ଖାଲି କହୁଛି କେସ କରାହେବ। ତେବେ ଏଠାରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ, ବିଭିନ୍ନ ଆନ୍ଦୋଳନ ସ୍ଥଳରେ ପୋଲିସକୁ ଠେଲା ପେଲା କଲା ବେଳେ ଘଟଣା ସ୍ଥଳରୁ ପୋଲିସ ସେମାନଙ୍କୁ ଉଠାଇ ନେଉଥିବା ବେଳେ ନୟାଗଡ଼ ପୋଲିସ କାହିଁକି ନିରବଦ୍ରଷ୍ଟା ସାଜିଛି ? ସାଧାରଣତଃ ଶାନ୍ତ ସ୍ୱଭାବର ନେତା ଭାବେ ଓଡ଼ିଶାରେ ପରିଚିତ ଡ଼ ସାହୁଙ୍କ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ, ଏହି ଘଟଣାକୁ କେନ୍ଦ୍ର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କାର୍ଯ୍ୟକର୍ତ୍ତାଙ୍କ ଆଚରଣ ଓ ପୋଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କଲେଜକୁ ‘ସାଇନ୍-ଏ-ଡାଏ’ ଘୋଷଣା କରାଯିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ବଳ ମୁତୟନ ରହିଛନ୍ତି। ଏହି ଘଟଣା ଛାତ୍ର ସଂସଦ ନିର୍ବାଚନର ଭବିଷ୍ୟତ ଏବଂ ମହାବିଦ୍ୟାଳୟରେ ସ୍ୱାଭାବିକ ପାଠପଢ଼ା ଆରମ୍ଭ ହେବାକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଛି।

