ଭୁବନେଶ୍ୱର, (ଓଡ଼ିଶା ଲେଖା): ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ ସହ ଏହି ପ୍ରସଙ୍ଗରେ ଦାୟିତ୍ୱ ନିର୍ଦ୍ଧାରଣ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବନ୍ଦ ସମୟରେ ରାସ୍ତା ଅବରୋଧ କରି ଯାତାୟାତ ବାଧାପ୍ରାପ୍ତ କରିବା ସହ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ରାଜ୍ୟରେ ଯାତାୟାତ ଓ ସାଧାରଣ ଜୀବନଯାପନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏପଟେ ବନ୍ଦକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବଜାୟ ରଖିବା ଓ ଆବଶ୍ୟକ ପ୍ରତିଷେଧାତ୍ମକ ପଦକ୍ଷେପ ନେବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି କରାଯାଇଛି। ବନ୍ଦ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଛି। ସେପଟେ ଆସନ୍ତାକାଲିର ବନ୍ଦକୁ ନେଇ ବୋର୍ଡ ପରୀକ୍ଷା ସମ୍ପର୍କରେ ମଧ୍ୟ ସ୍ପଷ୍ଟୀକରଣ ଆସିଛି। ବନ୍ଦ ଯୋଗୁଁ କୌଣସି ପରୀକ୍ଷା ବାତିଲ କିମ୍ବା ସମୟସୂଚୀ ପରିବର୍ତ୍ତନ ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିର ବନ୍ଦକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି।

