ଭଞ୍ଜନଗର, (ଓଡ଼ିଶା ଲେଖା): ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନର ଆନ୍ଦୋଳନ ଜାରି ରହିଛି। ସଂଗଠନର ସତ୍ୟାଗ୍ରହ ୪୧ ଦିନରେ ପହଞ୍ଚିଥିବା ବେଳେ ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ୨୪ ଦିନରେ ପହଞ୍ଚିଛି। ଏହି ଦାବିଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଥିଲା।ସଂଗଠନ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ଟି ତ୍ରୁଟି ଥିବା ଅଭିଯୋଗ କରାଯାଇଛି। ଏହି ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାର ଆଲୋଚନା ପାଇଁ ଠୋସ୍ ପଦକ୍ଷେପ ନେଇନଥିବା ସଂଗଠନ ଅଭିଯୋଗ କରିଛି।ବନ୍ଦକୁ ସଫଳ କରିବା ପାଇଁ ଦୋକାନବଜାର ବନ୍ଦ ରଖିବା ସହ ଗାଡ଼ି ଚଳାଚଳ ବନ୍ଦ କରି ସହଯୋଗ କରିବାକୁ ସଂଗଠନ ପକ୍ଷରୁ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଥିଲା। ତେବେ ଭଞ୍ଜନଗର ସହରରେ ଏହି ବନ୍ଦର କୌଣସି ବିଶେଷ ପ୍ରଭାବ ପରିଲକ୍ଷିତ ହୋଇନାହିଁ।ପ୍ରତିଦିନ ଭଳି ଭଞ୍ଜନଗରରେ ସ୍କୁଲ ଓ କଲେଜ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା। ସେହିପରି ସହରରେ ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ଭଞ୍ଜନଗରରେ ‘ଓଡ଼ିଶା ବନ୍ଦ’ର ପ୍ରଭାବ ପ୍ରାୟ ଶୂନ ରହିଥିଲା।
ରିପୋର୍ଟ-ରବି ନାରାୟଣ ଦାଶ

