ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବନଖଣ୍ଡ ଗଣିଆ ବନାଞ୍ଚଳ ଅଧୀନ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ନାଳରୁ ସୋମବାର ଅପରାହ୍ନରେ ଏକ ମୃତ ମଗର କୁମ୍ଭୀରର ଶବ ଉଦ୍ଧାର କରାଯାଇଛି। ନାଳରେ କୁମ୍ଭୀରଟି ମୃତ ଅବସ୍ଥାରେ ଭାସୁଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ସେମାନେ ତୁରନ୍ତ ଗଣିଆ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏସିଏଫ ସେତୁରଞ୍ଜନ ଗମାଙ୍ଗଙ୍କ ନିର୍ଦ୍ଦେଶକ୍ରମେ ବନପାଳ ମନୋଜ ପ୍ରଭାକର ସାହୁଙ୍କ ସମେତ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତ କୁମ୍ଭୀରଟିକୁ ନାଳରୁ ଉଦ୍ଧାର କରାଯାଇ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ବନବିଭାଗର ପ୍ରାଥମିକ ଆକଳନ ଅନୁସାରେ ମୃତ କୁମ୍ଭୀରଟିର ବୟସ ପ୍ରାୟ ୨ରୁ ୩ ବର୍ଷ ହେବ। ବନବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରାଣୀଚିକିତ୍ସା ଅଧିକାରୀ ରାକେଶ କୁମାର ସାହୁଙ୍କ ଉପସ୍ଥିତିରେ କୁମ୍ଭୀରଟିର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟରେ ଏସିଏଫ ସେତୁରଞ୍ଜନ ଗମାଙ୍ଗ, ବନପାଳ ମନୋଜ ପ୍ରଭାକର ସାହୁ, ବନରଖି ବିପ୍ଲବୀ ନାୟକ, ସରପଞ୍ଚ ସଂଘର ସଭାପତି ମାନସ କୁମାର ମହାଖୁଡ଼, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ବେଲପଡ଼ାପାଟଣା ସରପଞ୍ଚ ସୁକାନ୍ତ ଗଣ୍ଠିଆ, କରଡ଼ାପଡ଼ା ସରପଞ୍ଚଙ୍କ ପ୍ରତିନିଧି ସମୀର କୁମାର ସାହୁଙ୍କ ସମେତ ବନବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶବ ବ୍ୟବଚ୍ଛେଦ ପରେ ବନବିଭାଗ କାର୍ଯ୍ୟାଳୟ ପରିସରରେ ହିଁ କୁମ୍ଭୀରଟିର ଶବକୁ ପୋତି ଦିଆଯାଇଛି। ତେବେ କୁମ୍ଭୀରଟିର ମୃତ୍ୟୁ କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

