କୋରାପୁଟ, (ଓଡ଼ିଶା ଲେଖା): ବନ୍ୟା ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବନ୍ୟା ପୀଡ଼ିତଙ୍କ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କୋରାପୁଟର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ।ପରେ ଚାନ୍ଦିଲି ହାଇସ୍କୁଲରେ ଆଶ୍ରୟ ନେଇଥିବା ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିଥିଲେ।

ଆଶ୍ରୟସ୍ଥଳରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ଏହାପରେ ସ୍ଥାନୀୟ ନେତୃବୃନ୍ଦ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତି ଓ ପ୍ରଭାବିତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

