ନୟାଗଡ଼, (ଓଡ଼ିଶା ଲେଖା): ନିର୍ବାଚନ ଡାଟାବେସ୍ର ପରିଚାଳନା, ଭୋଟର ତାଲିକାର ସ୍ୱଚ୍ଛତା ଏବଂ ECINet ପୋର୍ଟାଲ୍କୁ ନେଇ ଉଠିଥିବା ପ୍ରଶ୍ନର ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି। ଏହାସହ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ଏବଂ ଅଭିଯୋଗଗୁଡ଼ିକର ଆଇନଗତ ତଦନ୍ତ କରିବାକୁ ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। କଂଗ୍ରେସର ଅଭିଯୋଗ ଅନୁଯାୟୀ, ECINet ପୋର୍ଟାଲ୍ରେ ଭୋଟର ପଞ୍ଜୀକରଣ ସମ୍ବନ୍ଧୀୟ ଫର୍ମ-୬ ଓ ଫର୍ମ-୭ରେ ହୋଇଥିବା ପରିବର୍ତ୍ତନ ଏବଂ ନିର୍ବାଚନ ତଥ୍ୟ ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଦଳ ପକ୍ଷରୁ ଦାବି କରାଯାଇଛି ଯେ ଏହି ସମସ୍ତ ବିଷୟର ନିରପେକ୍ଷ ଓ ସ୍ୱାଧୀନ ଡିଜିଟାଲ୍ ଅଡିଟ୍ କରାଯାଉ। ସମ୍ପ୍ରତି ନିର୍ବାଚନ ଆୟୋଗର ଅଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀ, ଫର୍ମ-୬ ପରିବର୍ତ୍ତନ, ଭୋଟର ତଥ୍ୟରେ ପ୍ରବେଶ ଏବଂ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ଆପତ୍ତି ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି।

ନୟାଗଡ଼ ଡିସିସି ପକ୍ଷରୁ ଏହି ପ୍ରସଙ୍ଗରେ ECINet ପୋର୍ଟାଲ୍ର ଲଗ୍, IP ଟର୍ମିନାଲ୍ ରେକର୍ଡ, OTP ହିଷ୍ଟ୍ରି ସମେତ ସମ୍ପୃକ୍ତ ଡିଜିଟାଲ୍ ତଥ୍ୟର ସ୍ୱାଧୀନ ଯାଞ୍ଚ କରିବାକୁ ଦାବି କରାଯାଇଛି। ଏଥିସହ ଭୋଟର ତାଲିକା ସମ୍ପର୍କିତ ଅଭିଯୋଗର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ନେବାକୁ ଦାବି ଉଠିଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ CEC ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।ବିକ୍ଷୋଭ କାର୍ଯ୍ୟକ୍ରମରେ ପିସିସି କାର୍ଯ୍ୟକର୍ତ୍ତା ସତ୍ୟବ୍ରତ ନାୟକ, ହୁସେନ ଖାଁ, ବିଭୁପ୍ରସାଦ ମିଶ୍ର, ଡିସିସି କାର୍ଯ୍ୟକର୍ତ୍ତା ସୁକାନ୍ତ ଶତପଥୀ, ଆମଜାଦ ଖାଁ, ଧ୍ରୁବଚରଣ ପରିଡ଼ା, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଜିତେନ୍ଦ୍ର ନାୟକ, ପୀତବାସ ଖୁଣ୍ଟିଆ, କୂଳେଶ ମହାନ୍ତି, କାହ୍ନା ନାଏକ, ବ୍ଲକ କଂଗ୍ରେସ କାର୍ଯ୍ୟକର୍ତ୍ତା ଶତ୍ରୁଘ୍ନ ପାଇକରାୟ, ଅଶୋକ କୁମାର ନାୟକ, ହାଲିମ ଖାଁ, ଜୋନ କଂଗ୍ରେସ ସଭାପତି ପ୍ରମୋଦ କୁମାର ନାୟକ, ଅନିଲ କୁମାର ପରିଡ଼ା, ଭରତ, ମଦନମୋହନ ବିଶୋଇ, ପ୍ରତୀକ ମହାପାତ୍ର, ଭରତ ଚନ୍ଦ୍ର ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଓମ ପ୍ରକାଶ ପ୍ରଧାନ, ନିଶିକାନ୍ତ ବେହେରା, ଅରବିନ୍ଦ ପାଢ଼ୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ତେବେ ନିର୍ବାଚନ ଆୟୋଗ ପକ୍ଷରୁ ସମ୍ପ୍ରତି ଦିଆଯାଇଥିବା ସ୍ପଷ୍ଟୀକରଣରେ SIR ସମେତ ନିଷ୍ପତ୍ତିଗୁଡ଼ିକ ସମ୍ପୂର୍ଣ୍ଣ କମିଶନଙ୍କ ସର୍ବସମ୍ମତିରେ ହୋଇଥିବା କୁହାଯାଇଛି। ଫର୍ମ-୬ରେ SIR ସମ୍ବନ୍ଧୀୟ ଘୋଷଣାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ମଧ୍ୟ ଆୟୋଗ ପକ୍ଷରୁ ବ୍ୟାଖ୍ୟା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟର ତାଲିକା ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ସୁନିଶ୍ଚିତ କରିବା ସହ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରାଯାଇଛି।

