ନୟାଗଡ଼, (ଓଡ଼ିଶା ଲେଖା): କଣ୍ଟିଲୋ ସିଧାମୂଳା ସେତୁ ଉପରୁ ଖସି ଜଣେ ଯୁବକ ମହାନଦୀରେ ନିଖୋଜ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳର ଢିପିସାହିର ସରୋଜ ନାୟକ ବୋଲି ଜଣାପଡ଼ିଛି । ସୂଚନାନୁସାରେ, ସରୋଜ ନାୟକ ନିଜ ପରିବାର ସହ ନରସିଂହପୁର ଅଞ୍ଚଳକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ। କାର୍ଯ୍ୟ ଶେଷ କରି ପରିବାର ସହ ଘରକୁ ଫେରୁଥିବା ବେଳେ ସେମାନେ ସିଧାମୂଳା ସେତୁ ଉପରେ କିଛି ସମୟ ପାଇଁ ଅଟକିଥିଲେ। ସେତୁ ଉପରେ ପରିବାର ସଦସ୍ୟଙ୍କ ସହ ଫଟୋ ଉଠାଉଥିବା ସମୟରେ ହଠାତ୍ ସରୋଜ ସେତୁ ତଳକୁ ଖସି ମହାନଦୀରେ ପଡ଼ିଯାଇଥିବା ଜଣାପଡ଼ିଛି। ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଓ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବାଲିଝରି, ନରସିଂହପୁର ଓ ଗଣିଆ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମହାନଦୀରେ ନିଖୋଜ ସରୋଜଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଜାରି ରହିଛି। ଘଟଣାକୁ ନେଇ ସିଧାମୂଳା ଅଞ୍ଚଳରେ ଚର୍ଚ୍ଚା ଓ ଚିନ୍ତା ପ୍ରକାଶ ପାଇଛି।

