ଭୁବନେଶ୍ଵର/ବଡ଼ମ୍ବା, (ଓଡ଼ିଶା ଲେଖା): ବଡ଼ମ୍ବାରେ ପ୍ରସ୍ତାବିତ ଚିନିକଳର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଓ ପ୍ରଶାସନିକ ତତ୍ପରତା ବଢ଼ିଛି। ଏହି କ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଶ୍ରୀଯୁକ୍ତ ମହତାବ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ କାର୍ଯ୍ୟାଳୟରେ ଅମିତ ଶାହାଙ୍କୁ ସାକ୍ଷାତ କରି ବଡ଼ମ୍ବାରେ ହେବାକୁ ଥିବା ଚିନିକଳ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି। ଏହାସହ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ସମେତ ଅନ୍ୟାନ୍ୟ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।ବଡ଼ମ୍ବାରେ ଚିନିକଳ ପ୍ରତିଷ୍ଠା ହେଲେ ଆଖୁଚାଷୀଙ୍କ ସହ ଅଞ୍ଚଳର ଅର୍ଥନୈତିକ ଓ ଶିଳ୍ପ ବିକାଶକୁ ଏହା ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ତେଣୁ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ବଢ଼ିଛି।

