ନରସିଂହପୁର, (ଓଡ଼ିଶା ଲେଖା): କାନପୁର ଥାନା ଅନ୍ତର୍ଗତ ଦେଓଝର ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ପଦ୍ମପୁର ଗ୍ରାମର ଟୁକୁ ନାୟକ ବୋଲି ଜଣାପଡ଼ିଛି। ଗୁରୁତର ଆହତ ଯୁବକ ହେଲେ ବିଜୟ ନାୟକ। ସୂଚନାନୁସାରେ, ପଦ୍ମପୁର ଗାଁର ଟୁକୁ ନାୟକ ଓ ତାଙ୍କ ସାଙ୍ଗ ବିଜୟ ନାୟକ ଗୋଟିଏ ବାଇକରେ ଏବଂ ଅନ୍ୟ ଦୁଇଜଣ ସାଙ୍ଗ ଆଉ ଏକ ବାଇକରେ ଦେଓଝର ବୁଲିବାକୁ ଯାଉଥିଲେ। ଏହି ସମୟରେ ଦେଓଝର ରାସ୍ତାରେ ଟୁକୁ ଓ ବିଜୟ ଯାଉଥିବା ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ତୁରନ୍ତ କାନପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଟୁକୁ ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ବିଜୟ ନାୟକଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

