ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ନୀଳକଣ୍ଠେଶ୍ୱର ଯାତ୍ରୀବାହୀ ବସ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଉଁସିଆପଡ଼ା ଛକ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବସର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଏକାଧିକ ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛି। ଦୁର୍ଘଟଣା ଖବର ପାଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ଜିଲ୍ଲାପାଳ ମଧୁମିତା ରଥ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦର ଓ ଏସଡିପିଓ ସୃଷ୍ଟି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଗୁରୁତର ଆହତଙ୍କ ମଧ୍ୟରୁ କେତେକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର କରାଯାଇଛି। ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

