ନରସିଂହପୁର/ଭାପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଦେଓଝର ଜଳପ୍ରପାତରେ ଗାଧୋଇବା ବେଳେ ଘଟିଛି ଅଘଟଣ। ଗୋଡ଼ ଖସି ପଥରରେ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ରାମ ପ୍ରସାଦ ବଡ଼ଜେନା। ସୂଚନାନୁସାରେ, ଫତେଗଡ ଥାନା ଅଞ୍ଚଳର ରାମ ପ୍ରସାଦ ଜେନା ବୁଲାବୁଲି ଓ ଭୋଜି ଭାତ କରିବା ପାଇଁ ଦେଓଝର ଯାଇଥିଲେ। ତେବେ ଦେଓଝର ଜଳପ୍ରପାତକୁ ଯାଇ ଗାଧୋଇଥିଲେ। ଗାଧୋଇବା ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଭାରସାମ୍ୟ ହରାଇ ପଥର ଉପରେ ପଡ଼ି ମୁଣ୍ଡ ମାଡ଼ ହୋଇ ଗୁରୁତର ଆହତ ହୋଇଥିଲେ। ସାଙ୍ଗସାଥୀ ଓ ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କାନପୁର ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ପରୀକ୍ଷା କରି ରାମ ପ୍ରସାଦଙ୍କୁ ମୃତ ଘୋଷଣା କରିଥିଲେ। କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ପରେ ଦେଓଝର ଜଳପ୍ରପାତରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ବିପଦପୂର୍ଣ୍ଣ ସ୍ଥାନରେ ସତର୍କତାମୂଳକ ବ୍ୟବସ୍ଥା ଓ ସୁରକ୍ଷା ନିର୍ଦ୍ଦେଶନାମାକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

