ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାର୍ବଜନୀନ ସର୍ବପୁରାତନ ଦୁର୍ଗାପୂଜା ସମିତିର ଚଳିତବର୍ଷ ଦୁର୍ଗାପୂଜା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ନୂତନ ପ୍ରଭାତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତବର୍ଷ ମା’ ଦୁର୍ଗାଙ୍କ ପୂଜା ଉତ୍ସବକୁ ସୁଚାରୁରୂପେ ପରିଚାଳନା ସହ ଆୟ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ବୈଠକରେ ସମିତିର ମୁଖ୍ୟ ଉପଦେଷ୍ଟା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମାଜସେବୀ ତଥା ସମିତିର ଉପଦେଷ୍ଟା ଇରାନୀ ରାୟ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଯୁବ ସମାଜସେବୀ ତଥା ସମିତିର କାର୍ଯ୍ୟକାରୀ ସମିତି ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ। ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ସୁସଂଗଠିତ ଭାବେ ଆୟୋଜନ କରିବା ସହ ସମିତିର ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା।

ବିଶେଷକରି ଚୁଲି ଚାନ୍ଦା ଆଦାୟକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ଲୋକଙ୍କୁ ପୂଜା ସହିତ ଯୋଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ସମିତିର ସମ୍ପାଦକ ସୁମନ କୁମାର ସାହୁ ପୂର୍ବ ଆୟବ୍ୟୟର ବିବରଣୀ ପାଠ କରିଥିଲେ। ବୈଠକରେ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜସେବୀ ଓ ସମିତିର କର୍ମକର୍ତ୍ତାମାନେ ଯୋଗଦେଇ ପୂଜା ଆୟୋଜନ ସମ୍ପର୍କରେ ନିଜର ମତାମତ ଓ ପ୍ରସ୍ତାବ ରଖିଥିଲେ। ଶେଷରେ ରୋଟାରିଆନ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବୈଠକର ସମାପ୍ତି ଘୋଷଣା କରିଥିଲେ।

