ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମନରେଗା ଅଧୀନରେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟରତ ଥିବା ସମସ୍ତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (APO) ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଓଡ଼ିଶା ଷ୍ଟେଟ୍ MC ଏବଂ APO ଆସୋସିଏସନ୍ (OSMAA) ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରାଯାଇଛି। ସଂଘର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ କାର୍ଯ୍ୟରତ APO ମାନେ ନିଜର ଦାବି ଉପସ୍ଥାପନ କରିବା ପାଇଁ ଏହି ଅଭିନବ ପ୍ରତିବାଦର ସହାୟତା ନେଇଛନ୍ତି। ଦୀର୍ଘ ୧୫ ବର୍ଷର ନିରନ୍ତର ସେବା ପରେ ମଧ୍ୟ ବ୍ଲକ ଗୁଡିକରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ(APO)ମାନେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ପୂର୍ବ ପ୍ରତିଶୃତି ସତ୍ତ୍ୱେ ଏ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନଥିବା ହେତୁ ରାଜ୍ୟ ର ସମସ୍ତ ୩୧୪ ବ୍ଲକରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ(APO) ମାନେ ନିଜ ନିଜ କାର୍ଯ୍ୟାଳୟରେ କଳାବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି।ଏହି ପ୍ରତିବାଦ ଚଳିତ ମାସ ୧୮ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ତୁରନ୍ତ ସରକାରୀ ନିର୍ଦ୍ଦେଶନାମା ଜାରି କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ସଂଘର ରାଜ୍ୟ ସଭାପତି ଗୋପାଳ ପଣ୍ଡା ଏବଂ ସାଧାରଣ ସମ୍ପାଦକ ମାନସ ରଞ୍ଜନ କର ଜଣାଇଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚିତ୍ ପଦକ୍ଷେପ ନିଆନଯାଏ, ତେବେ ସଂଘ ଆଗାମୀ ଦିନରେ ନିଜର ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ। ତେବେ ଏହି ଆନ୍ଦୋଳନ ବିଭିନ୍ନ ଜିଲ୍ଲାରେ ହେଉଥିବା ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (APO) ମାନେ ମଧ୍ୟ ସଙ୍ଘର ନିଷ୍ପତ୍ତି ଅନୁଯାୟୀ ନିଜ ନିଜ କାର୍ଯ୍ୟାଳୟ ରେ କଳାବ୍ୟାଜ ପରିଧାନ କରି ନିଜର ପ୍ରତିବାଦ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।


