ନୟାଗଡ଼, (ଓଡ଼ିଶା ଲେଖା): ହୋଲି ଖେଳ ନେଲା ଗୋଟିଏ ପରିବାରର ବାପ ପୁଅଙ୍କ ଜୀବନ। ହୋଲି ଖେଳରେ ସମସ୍ତେ ମସ୍ ଗୁଲ ଥିଲେ। ତେବେ ହୋଲି ଖେଳ ସରିବା ପରେ ଘଟିଛି ବଡ଼ ଅଘଟଣ। ପୋଖରୀରେ ବୁଡ଼ି ବାପ ପୁଅଙ୍କର ମୃତ୍ୟୁ ହୋଇଛି। ମୃତକ ବାପ ପୁଅ ହେଲେ ଗୋପାଳପୁର ଗାଁର ଆଲୋକ ଦଳବେହେରା ଓ ନାବାଳକ ପୁଅ ଚନ୍ଦ୍ର ଦଳବେହେରା।ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଆଲୋକ ଦଳବେହେରା (୪୦) ଓ ତାଙ୍କ ନାବାଳକ ପୁଅ ଚନ୍ଦ୍ର ଦଳବେହେରା (୪) ଗାଁରେ ହୋଲି ଖେଳିଥିଲେ। ହୋଲି ଖେଳ ସାରିବା ପରେ ବାପ ପୁଅ ଗାଧୋଇ ଯାଇଥିଲେ। ତେବେ ଗାଧୋଇ ଯାଇ ଘରକୁ ଫେରି ନଥିଲେ। ବାପ ପୁଅଙ୍କ ଫେରିବା ବିଳମ୍ବ ହେବାରୁ ପରିବାର ବହୁ ଖୋଜାଖୋଜି କରିଥିଲେ ଏବଂ ଅଗ୍ନିଶମ ବାହିନୀ ସହାୟତା ନେଇ ପୋଖରୀରେ ଖୋଜାଖୋଜି କରିଥିଲେ। ତେବେ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ବାପ ପୁଅଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ବାପ ପୁଅ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତରେ ପରିବାର ଲୋକ କାନ୍ଦ ବୋବାଳିରେ ଭାଙ୍ଗି ପଡ଼ିଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଥିବା ଜଣାପଡ଼ିଛି।

