ନୟାଗଡ଼, (ଓଡ଼ିଶା ଲେଖା): ରଙ୍ଗାରଙ୍ଗ ପରିବେଶ ଏବଂ ଆକର୍ଷଣୀୟ ସୁସଜ୍ଜିତ ଖେଳପଡିଆ ମଧ୍ୟରେ ଆଜି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍ ଶୁଭ ଉଦଘାଟିତ ହୋଇଯାଇଛି। ସମାଜସେବୀ ଇରାନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରି ଆଜିର ଏହି ଉଦଘାଟନୀ ମ୍ୟାଚ୍ କୁ ଉଦଘାଟନ କରିଥିଲେ। ଖେଳ ଆରମ୍ଭ ପୂର୍ବରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା। ପାପୁଲାର ଏଫ୍ ସି ଢେଙ୍କାନାଳ ଏବଂ ମରାଠା ୧୧ ଏଫ୍ ସି ଭଞ୍ଜନଗର ଦୁଇ ଶକ୍ତିଶାଳୀ ଦଳ ପରସ୍ପରକୁ ଭେଟିଥିଲେ।

ଆରମ୍ଭରୁ ଖେଳ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇ ଥିଲା ଏବଂ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ କେହି କାହାକୁ ଗୋଲ ଦେଇ ପାରି ନ ଥିଲେ। ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲେ ଏବଂ ରେଫରୀ ପ୍ରସନ୍ନ ନାୟକ ଓ ଶରତ ମହାରଣା ଉଭୟ ପଟେ ଲାଇନ୍ ରେ ରହି ତାଙ୍କୁ ସହାୟତା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନଗରପାଳିକା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ନୟାଗଡ଼ ତହସିଲଦାର ରାଜେଶ୍ କେଶରୀ ସ୍ବାଇଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ, ସମାଜସେବୀ ମାମତାଜ ବେଗମ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଖେଳର ଅନ୍ତିମ ମୁହୂର୍ତ୍ତରେ ଭଞ୍ଜନଗର ଦଳର ୫ ନମ୍ବର ଖେଳାଳି ସିମି ଗୋଟିଏ ଆକର୍ଷଣୀୟ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।


