ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ଚାଷୀ ନ୍ୟାୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ପୁରୁଣା ଜେଲ ଜମିରେ ଅନୁଷ୍ଠିତ ଏହି ସମାବେଶରେ ଯୋଗ ଦେଇ ପିସିସି ସଭାପତି ଭକ୍ତଚରଣ ଦାସ ଚାଷୀଙ୍କୁ ସରକାର ମାଗଣା ବିଜୁଳୀ ପ୍ରଦାନ କରିବାକୁ ଦାବି ରଖିଛନ୍ତି । ଯେଉଁ ବିଜେପି କଟଣୀ ଛଟଣୀକୁ ବିରୋଧ କରୁଥିଲା, ସେହି ବିଜେପି ସରକାର ସମୟରେ ସବୁଠାରୁ ଅଧିକ କଟଣୀ ଛଟଣୀ ହେଉଥିବା କହିଛନ୍ତି । ଗତବର୍ଷ କ୍ୱିଣ୍ଟାଲ ପିଛା ନୟାଗଡ଼ ଜିଲ୍ଲାରେ ୧୦ କେଜି ଲେଖାଏଁ କଟଣୀ ଛଟଣୀ କରାଯାଇ ଚାଷୀଙ୍କଠାରୁ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରାଯାଇଛି । ସରକାର ୩୧ ଶହ ଟଙ୍କାରେ ଧାନ କିଣିବା ପାଇଁ ଘୋଷଣା କରିଛନ୍ତି ଅଥଚ ଚାଷୀ ୧୭ ଶହ ଟଙ୍କାରେ କାହିଁକି ଧାନ ବିକ୍ରି କରୁଛି ବୋଲି ପ୍ରଶ୍ନ କରିଛନ୍ତି । ନୟାଗଡ଼ ଜିଲ୍ଲା କିଷାନ କଂଗ୍ରେସ ଜିଲ୍ଲା ସଭାପତି ବସନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ ଅବସରରେ ସିନ୍ଦୁରିଆଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତିଙ୍କୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ହଜାର ହଜାର କଂଗ୍ରେସ କର୍ମୀ ନାରାବାଜି କରିବା ଧାନକିଣା କେବେ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଥିଲେ । ଅନ୍ୟତମ ନେତା ୱାସିର୍ ନୱାଜ୍ ତାଙ୍କ ବକ୍ତବ୍ୟରେ ଚାଷୀଙ୍କୁ ନ୍ୟାୟ ଓ ମାଗଣା ବିଜୁଳି ଆମର ଦାବି ବୋଲି କହିଥିଲେ ।

ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ନାରୀ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ସେହିଭଳି ଭାବେ ଅନ୍ୟତମ ନେତା ମନୋଜ ସାହୁ, ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସମବାୟ ମନ୍ତ୍ରୀ ଥିବା ସମୟରେ ଶାଗ ମାଛ ଦରରେ ଚିନିକଳ ବିକ୍ରି କରିବା କାରଣରୁ ଆଜି ଜିଲ୍ଲାରେ ଆଖୁଚାଷ ବୁଡ଼ିବାକୁ ବସିଛି ବୋଲି କହିଥିଲେ । କଂଗ୍ରେସ ସରକାର ଆସିଲେ, ଚିନିକଳ ନିଶ୍ଚିତ ପ୍ରତିଷ୍ଠା ହେବ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଜିଲ୍ଲାରେ ଧାନକିଣାରେ ହେଉଥିବା କଟଣୀ ଛଟନୀକୁ ଜୋରଦାର ବିରୋଧ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଂଯୋଜକ ସତ୍ୟବ୍ରତ ନାୟକ, ହୁସେନ୍ ଖାନ୍, ବିଭୂପ୍ରସାଦ ମିଶ୍ର, ବୈଜୟନ୍ତୀବାଳା ମହାନ୍ତି, ସରୋଜ ପରିଡ଼ା, ଫକିର ମଲ୍ଲ, ଶିବ ପ୍ରସାଦ ସାହୁ, ପ୍ରତୀକ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଚାଷୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।


