ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟ ସରକାର ଓଏଏସ୍ ସ୍ତରରେ ବଡ଼ ଧରଣରେ ବଦଳି କରିଛନ୍ତି । ଓଏଏସ୍ ସ୍ତରରେ ବରିଷ୍ଠ ବର୍ଗକୁ ପଦୋନ୍ନତି ପାଇଥିବା ୩୬ଜଣ ଓଏଏସ୍ ଅଫିସରଙ୍କୁ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ବିଭିନ୍ନ ଜିଲ୍ଲାକୁ ବଦଳି କରିଛନ୍ତି । ତେବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବିଡ଼ିଓ ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ଓଏଏସ୍ ଅଫିସର୍ ଜିତେନ୍ଦ୍ର କୁମାର ନାୟକଙ୍କୁ ବରିଷ୍ଠ ବର୍ଗକୁ କିଛି ମାସ ତଳେ ପଦୋନ୍ନତି ଦିଆଯାଇଥିଲା । ଏବଂ ପରବର୍ତ୍ତୀ ସମୟରେ ଓଡ଼ଗାଁ ବ୍ଲକରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି କରାଯାଇଥିଲା । ତେବେ ତାଙ୍କୁ ପୁନଃ ବଦଳି କରିଛନ୍ତି ରାଜ୍ୟ ସରକାର। ଶ୍ରୀଯୁକ୍ତ ନାୟକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରୁ ନୟାଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି କରାଯାଇଥିବା ନେଇ ୨ଟି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।


