ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ମଧୁମିତା ରଥ ସକାଳୁ ସକାଳୁ ପରିଭ୍ରମଣରରେ ବାହାରି ଛାନଭିନ୍ କରିବା ସହ ଅଧିକାରୀଙ୍କୁ ସଠିକ ଭାବେ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀମତି ରଥ ପ୍ରଥମେ ନୂଆ ବସଷ୍ଟାଣ୍ଡକୁ ଯାଇ ସେଠାକାର ପରିସ୍ଥିତି ସମ୍ପର୍କରେ ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ । ଆବଣ୍ଟିତ ହୋଇଥିବା ଦୋକାନ ଗୃହ ଗୁଡ଼ିକ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ନୋଟିସ କରିବାକୁ ପରାମର୍ଶ ଦେଇଥିଲେ । ଯେଉଁ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି, ତାହାକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଏହା ସହିତ ସହରର ଅନ୍ୟ କୈାଣସି ସ୍ଥାନରେ ବସ କିଭଳି ନରହିବା, ସେ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଆଲୋଚନା କରିଛନ୍ତି । ସହର ମଧ୍ୟରେ ବସ ରହଣୀ ହେଲେ ଆବଶ୍ୟକ ସ୍ଥାନରେ ଜରିମାନା କଷିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସେଠାକାର ଅବ୍ୟବସ୍ଥାକୁ ତାଦରଖ କରିଛନ୍ତି । ସଠିକ ଭାବେ ସଫେଇ କରାଯିବା, ବେଡସିଡ୍ ବଦଳାଇବା, ଲିଫ୍ଟି କାର୍ଯ୍ୟକ୍ଷମ କରାଇବା ସହ ରୋଗୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକା କର୍ମଚାରୀଙ୍କ ଦରମା ମାସର ୫ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

ଡାକ୍ତରଖାନାକୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ଅଭିମୂଖେ ଆସିବା ବେଳକୁ ହଠାତ୍ ଟ୍ରେଜେରୀକୁ ଯାଇ ତଦାରଖ କରିଛନ୍ତି । କାର୍ଯ୍ୟାଳୟ ପରିସରରେ ପାନ ଛେପ ପଡ଼ିଥିବା ଦେଖି ବିରକ୍ତି ପ୍ରକାଶ କରିବା ସହ ଏଭଳି ପୁନରାବୃତ୍ତି ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଶେଷରେ ସାମାଜିକ ସୁରକ୍ଷା ବିଭାଗକୁ ଯାଇ କର୍ମଚାରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବିକାଶ ସହ ବିଭିନ୍ନ ବିଭାଗରେ କର୍ମଚାରୀମାନେ ବିଳମ୍ବରେ ଆସୁନଥିବା ନେଇ ଜିଲ୍ଲାପାଳ ସୂଚନା ପାଇ ଆଜି ଅଚାନକ ଏଭଳି ପରିଦର୍ଶନ କରିବାକୁ ନେଇ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ବସଷ୍ଟାଣ୍ଡରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ପୈାର ପ୍ରଶାସନ, ପୁଲିସ ପ୍ରଶାସନ ପ୍ରମୂଖ ଉପସ୍ଥିତ ରହିଥିଲେ । ଡାକ୍ତରଖାନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପୁଷ୍ପା ନୀଳିମା ଲାକ୍ରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ବୁଲାଇ ଦେଖାଇଥିଲେ ।


