ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଛି। ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା ମହୋଲକୁ ପୁରା ଗରମ କରିଦେଲା ଜିଲ୍ଲା ପ୍ରଶାସନ। ନିଜ ଗୋଡ଼କୁ ଅଟକାଇ ପାରିଲେନି ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଜିଲ୍ଲାପାଳ ରୋଜୀନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ । ହଁ ଆଜ୍ଞା, ଚାରିଧାମ ଓଡ଼ିଆ ସିନେମାର ଚୁଲବୁଲି ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଯୋଗ ଦେଇ ଚାର୍ ଚାନ୍ଦ ଲଗାଇଦେଇଛନ୍ତି।

ନାଚ, ଅଭିନୟ ଓ ଗୀତ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିବା ବେଳେ ମୁକୁଳି ପାରିନଥିଲେ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ। ଅଭିନେତ୍ରୀ ଅନୁରାଧା ଗୀତ ଗାଇ ଷ୍ଟେଜ ତଳକୁ ଆସିବା ପରେ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ନିଜ ଗୋଡ଼କୁ ଆଉ କାବୁ କରିପାରିନଥିଲେ । ଗୀତର ତାଳେ ତାଳେ ନାଚିଥିଲେ ।

କିନ୍ତୁ ପରବର୍ତ୍ତୀ ଗୀତରେ ଷ୍ଟେଜ ଉପରେ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଜିଲ୍ଲାପାଳ ରୋଜୀନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ ଗୀତର ତାଳେ ତାଳେ ନାଚ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଦର୍ଶକ ମାନେ ହୋ ହାଲ୍ଲା କରିଥିଲେ । ପ୍ରଶାସନିକ ଅଧିକାରୀମାନେ ଯଦି ଏପରି ହେବେ ତେବେ ଦର୍ଶକ ମାନେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବେ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


