ନୟାଗଡ଼, (ଓଡ଼ିଶା ଲେଖା): ବିଧାନସଭାରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ନୟାଗଡ଼ରେ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବି ଉଠାଇବା ପରେ, ନୟାଗଡ଼ ଜିଲ୍ଲାରେ ବିପୁଳ ଜନସମର୍ଥନ ଦେଖାଯାଉଛି। ରାଜନୈତିକ ମତଭେଦ ଉର୍ଦ୍ଧକୁ ଆସି ସମସ୍ତେ ଏହି ଦାବିକୁ ସମର୍ଥନ କରୁଛନ୍ତି। ନୟାଗଡ଼ର ଆଗଧାଡ଼ିର ସଂଗଠନ ଗୁଡିକ ଯଥା ରୋଟାରୀ କ୍ଲବ, ସିଭିଲ ସୋସାଇଟି, ନୟାଗଡ଼ କ୍ଲବ୍ ସହିତ ବିଭିନ୍ନ ସମାଜ ସେବୀ ଓ ରାଜନୈତିକ ବ୍ୟକ୍ତିବିଶେଷ ଓ ସାମ୍ବାଦିକମାନେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସ୍ୱର ମିଳାଇଛନ୍ତି। ନୟାଗଡ଼ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ହିତ ଦୃଷ୍ଟିରେ ଏହା ଅତ୍ୟାବଶ୍ୟକ ବୋଲି ଦଶପଲ୍ଲା ବିଧାୟକଙ୍କ ସହିତ ଜନସାଧାରଣ ମଧ୍ୟ ଦାବି କରିଛନ୍ତି । ବିଧାନସଭାରେ ଗତକାଲି ଡ଼ ସାହୁ ସରକାରକୁ ସ୍ପଷ୍ଟ କରି କହିଛନ୍ତି ଯେ, ଲୋକମତକୁ ଅଗ୍ରାଧିକାର ନଦେଇ ଯଦି ଅନ୍ୟ କୌଣସି ନିଷ୍ପତ୍ତି ନେଇଯାଏ, ତେବେ ନୟାଗଡ଼ରେ ଭୟଙ୍କର ଆନ୍ଦୋଳନ ହେବ। ଆବଶ୍ୟକ ପଡିଲେ ରାସ୍ତା ମଧ୍ୟ ବନ୍ଦ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ନୟାଗଡ ବିଧାୟକ ଡ଼ ସାହୁ। ନୟାଗଡ଼ର ସାଧାରଣ ଲୋକ ଆଶା କରୁଛନ୍ତି ଯେ, ସରକାର ଶୀଘ୍ର ଏହି ଦାବିକୁ ସ୍ୱୀକାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।


