ନୟାଗଡ଼,(ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମୁଖ୍ୟାଳୟରେ ଅବସ୍ଥିତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ନବ ନିର୍ମିତ ଗ୍ରନ୍ଥାଗାର ଉଦ୍ଘାଟନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ସୂଚନାନୁସାରେ, ନୂଆଗାଁ ଯୁକ୍ତ ୨ କଲେଜ୍ ମଧ୍ୟରେ ଗତ ବିଜେଡି ସରକାର୍ ସମୟରେ ବିଧାୟକ ରମେଶ ବେହେରା ନିଜ ବିଧାୟକ ପାଣ୍ଠିରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିଲେ ଏକ ଗ୍ରନ୍ଥାଗାର । କିନ୍ତୁ ବର୍ତ୍ତମାନ ବିଜେପି ସରକାର୍ ଆସିବା ପରେ ଏହି ଗ୍ରନ୍ଥାଗାରକୁ ଉଦ୍ଘାଟନ କରିବା ପାଇଁ ଆସନ୍ତା କାଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆସିବା କାର୍ଯ୍ୟକ୍ରମ ରହିଛି କିନ୍ତୁ ସ୍ଥାନୀୟ ବିଧାୟକ ତଥା ଗ୍ରନ୍ଥାଗାର ନିର୍ମାତା ରମେଶ ଚନ୍ଦ୍ର ବେହେରାଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ଖୋଦ୍ ବିଧାୟକ ପ୍ରତିକ୍ରିୟା ରଖିଛନ୍ତି ।
ନୂଆଗାଁ ଯୁକ୍ତ ୨ କଲେଜରେ ନବ ନିର୍ମିତ ଗ୍ରନ୍ଥାଗାର:ଦଶପଲ୍ଲା ବିଧାୟକ ଉଦ୍ଘାଟନ କରିଥିବାରୁ ତେଜିଲା ରାଜନୀତି

ତେବେ କେମିତି ଏକ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ତାହା ପ୍ରଶ୍ନ ଉଠିବା ସ୍ଵାଭାବିକ ଘଟଣା । କଲେଜ୍ ଅଧ୍ୟକ୍ଷ ବିଜୟ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ସରକାର୍ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକଙ୍କୁ ନିମନ୍ତ୍ରଣ କରାଯିବ ନାହିଁ । ତେବେ ବିଧାୟକ ନିଜେ ସମର୍ଥକ ମାନଙ୍କୁ ଧରି କଲେଜ୍ ରେ ଗ୍ରନ୍ଥାଗାର ଉଦ୍ଘାଟନ କରିବା ଅବସରରେ ସିଧା ସଳଖ ସରକାରୀ ଦଳକୁ ଟାର୍ଗେଟ କରିବା ସହ ଆଗାମୀ ଦିନରେ କଲେଜ୍ ଅଧ୍ୟକ୍ଷ ଏପରି ରାଜନୀତି କରିଲେ ସାଧାରଣ ଜନତା ଟେକି ଫୋପାଡି ଦେବେ କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ତେବେ ଆସନ୍ତା କାଲି ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମ ପାଇଁ ଏହି ଉଦ୍ଘାଟିତ ହୋଇଥିବା ଫଳକ ଭାଙ୍ଗି ଅନ୍ୟ ଏକ ଫଳକ ଲଗାଇବା ଯୋଜନା କରୁଥିବା ଗୁପ୍ତ ଗୁଞ୍ଜରଣ ସୃଷ୍ଟି ହେଉଥିବା ବେଳେ ସରକାରୀ ଦଳର ମନମୁଖୀ ଶାସନ ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଏ ନେଇ ବିଧାୟକ ମତ ପ୍ରକାଶ କରିଛନ୍ତି । ସରକରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ ନକରିବାରୁ ଆସନ୍ତାକାଲି ସରକାରୀ ସ୍ତରରେ ହେବାକୁ ଥିବା ଉଦ୍ଘାଟନ କାର୍ଯ୍ୟକ୍ରମକୁ ଆଜି ବିଧାୟକ ଶ୍ରୀ ବେହେରା ସ୍ଥାନୀୟ ବୁଦ୍ଧିଜୀବି ମାନଙ୍କୁ ନେଇ ମହାବିଦ୍ୟାଳୟ ଗ୍ରନ୍ଥାଗାର ଉଦ୍ଘାଟନ କରିଛନ୍ତି । ଯାହାକି ଆସନ୍ତା କାଲି ଗଣଶିକ୍ଷା ମନ୍ତ୍ରୀ ଉକ୍ତ ଗ୍ରନ୍ଥାଗାର ଉଦ୍ଘାଟନ କରିଥାନ୍ତେ କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଉଦ୍ଘାଟନ କରି ନପାରି ଶିଶୁପାଳ ହୋଇପାରନ୍ତି ବୋଲି ଆଲୋଚନା ଜୋର୍ ଧରିଛି ।


