ନୟାଗଡ଼, (ଓଡ଼ିଶା ଲେଖା): ଆଉ କିଛି ସମୟ ପରେ ଅର୍ଥାତ୍ ସକାଳ ୮ଟାରୁ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ ପ୍ରକ୍ରିୟା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାୟ ୨୧୦୦ ଛାତ୍ରଛାତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଲେଜ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଥିସହ ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ନୟାଗଡ଼ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ତେବେ ନିର୍ବାଚନକୁ ନେଇ କିଛି ରାଜନୈତିକ ନେତାଙ୍କ ଭୂମିକା ଏବଂ ଘଟଣାକ୍ରମ ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ଆଇନଶୃଙ୍ଖଳା ରକ୍ଷା କରିବା ସହ ସମସ୍ତ ପରିସ୍ଥିତିକୁ ଆଇନର ପରିସର ମଧ୍ୟରେ ରଖିବା ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅନ୍ୟପକ୍ଷରେ, ଗତକାଲି ରାତିରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଏବଂ ତାଙ୍କ ଉପରକୁ ବନ୍ଧୁକ ଚାଳନା କରାଯାଇଥିବା ନେଇ ସେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଅଭିଯୋଗକୁ ନେଇ ଘଟଣାଟି ଅଧିକ ଗୁରୁତ୍ୱ ବହନ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି। ସମସ୍ତଙ୍କ ନଜର ଏବେ ମତଦାନ ପ୍ରକ୍ରିୟା ଏବଂ ଅପରାହ୍ନରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ଉପରେ ରହିଛି।

