ନୟାଗଡ଼, (ଓଡ଼ିଶା ଲେଖା): ଜନସାଧାରଣଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ବିଭିନ୍ନ ମିଠା ଦୋକାନ, ଟିଫିନ୍ ହୋଟେଲ, ରେଷ୍ଟୁରାଣ୍ଟ ଓ ସ୍ନାକ୍ସ ଦୋକାନରେ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ସମ୍ପର୍କିତ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ପ୍ରାୟ ୪୫ କିଲୋଗ୍ରାମ ବାସି ଖାଦ୍ୟ ଚିହ୍ନଟ କରାଯାଇ ନଷ୍ଟ କରାଯାଇଥିବା ବେଳେ ନିୟମ ପାଳନରେ ତ୍ରୁଟି ଥିବା ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଛି। ଏହାସହ ଦୁଇଟି ପ୍ରତିଷ୍ଠାନକୁ ସୁଧାରମୂଳକ ନୋଟିସ୍ ଜାରି କରାଯାଇଥିବା ବେଳେ ଗୋଟିଏ ଦୋକାନ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ଏଥିସହ ୨,୫୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା, ବାସି ଓ ଅସୁରକ୍ଷିତ ଖାଦ୍ୟ ବିକ୍ରୟରୁ ବିରତ ରହିବା ସହ ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବାକୁ ବ୍ୟବସାୟୀମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।

