ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ମିଳିଥିଲା। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ରହିଛି।୧୯୮୯ ମସିହାରେ ଜଙ୍ଗଲ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନେପାକ। ୨୦୦୯ ମସିହାରେ ଫରେଷ୍ଟର ଭାବେ ତାଙ୍କୁ ପଦୋନ୍ନତି ମିଳିଥିଲା। ଇତିମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ନେପାକ କାମ କରିଥିବା ବେଳେ ୨୦୨୩ରେ ଡେପୁଟି ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ। ଜୟପୁର ବନଖଣ୍ଡର ରାମଗିରି ରେଞ୍ଜର ଭାବେ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ କାମ କରିବା ପରେ ମାତ୍ର ୨୦ଦିନ ତଳେ ସେ ଜୟପୁର ଡେପୁଟି ରେଞ୍ଜର ଭାବେ ଯୋଗ ଦେଇଥିଲେ। ବନୀକରଣ ସମେତ ଜଙ୍ଗଲ ସୁରକ୍ଷା ବାବଦକୁ ଆସିଥିବା ଅନୁଦାନ ହଡ଼ପ କରି ନେପାକ ବିପୁଳ ସମ୍ପତ୍ତିର ମାଲିକ ହୋଇଥିବା ଚର୍ଚ୍ଚା ହେଉଛି।


