ଓଡ଼ିଶା ଲେଖା ଅଫିସ: ନୂଆପଡା ନିର୍ବାଚନ ମଣ୍ଡଳୀ ପାଇଁ ବାଜିଲା ଉପ ନିର୍ବାଚନ ବିଗୁଲ। ନଭେମ୍ବର ୧୧ରେ ହେବ ନୂଆପଡା ଉପ ନିର୍ବାଚନ। ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନରଙ୍କ ତରଫରୁ ସୂଚନା ଦିଆଯାଇଛି। ନୂଆପଡା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହେବା ପରେ ବିଧାୟକ ଆସନଟି ଖାଲି ପଡିଛି। ଏହାକୁ ନେଇ ପୂର୍ବରୁ ବିହାର ସାଧାରଣ ନିର୍ବାଚନ ସମୟରେ ନୂଆପଡା ନିର୍ବାଚନ ହେବ ବୋଲି କୁହାଯାଉଥିବା ବେଳେ ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। ଅକ୍ଟୋବର ୧୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅକ୍ଟୋବର ୨୦ରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଅକ୍ଟୋବର ୨୨ରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ ଏବଂ ଅକ୍ଟୋବର୨୪ରେ ଯେଉଁ ପ୍ରାର୍ଥୀ ଚାହିଁବେ ପ୍ରାର୍ଥୀପତ୍ର ପତ୍ୟାହାର କରିପାରିବେ ବୋଲି ଜଣାପଡିଛି। ନଭେମ୍ବର ୧୧ରେ ମତଦାତା ମାନେ ମତଦାନ କରିବେ ଏବଂ ନଭେମ୍ବର ୧୪ରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି।


