ଓଡ଼ିଶା ଲେଖା ଅଫିସ: ପ୍ରକାଶ ପାଇଲା ଓପିଏସସି-୨୦୨୩ର ପରୀକ୍ଷାଫଳ। ଓପିଏସସି-୨୦୨୩ରେପ୍ରକାଶିତ ହୋଇଥିବା ରେଜଲ୍ଟରେ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି। ଅନୁଗୋଳର ପ୍ରିୟାଂଶୁ ପାଲ ଟପ୍ପର ହୋଇଛନ୍ତି। ପ୍ରଥମ ଦଶ ଜଣଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ଅନନ୍ୟା ମିଶ୍ର। ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିବା ବେଳେ ମିର୍ଜା ଫୈଜ ଅହମଦ କାଦ୍ରୀ ଚତୁର୍ଥ, ଚିନ୍ମୟ ସାହୁ ପଞ୍ଚମ, ଅନ୍ତିମ ସ୍ୱାଇଁ ଷଷ୍ଠ, ଶୈଳେଶ କୁମାର ଭୋଇ ସପ୍ତମ, ମହମ୍ମଦ ନଜିଫ ହତିଫ ଅଷ୍ଟମ, ଚିନ୍ମୟ କୁମାର ପାଢ଼ୀ ନବମ ଓ ମିଲନ ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି। ଟପ୍ ଟେନ୍ରେ ଜଣେ ମହିଳା ଥିଲେ ହେଁ ଟପ୍ ଟ୍ୱେଣ୍ଟିରେ ୯ ଜଣ ମହିଳା ଅଛନ୍ତି। ସେମାନେ ହେଉଛନ୍ତି ଅନନ୍ୟା ମିଶ୍ର (୨), ପୂଜା ଯୋଶୀ (୧୧), ସ୍ୱରୂପିଣୀ ପଟନାୟକ (୧୨), ସ୍ନେହା ଦାସ ମହାପାତ୍ର (୧୪), ଦୀପସୀତା ବେହେରା (୧୬), ସୁପ୍ରିୟା ମିଶ୍ର (୧୭), ଅସୀମା ଅନ୍ୱେଷା (୧୮), ଏମ୍ଜି ସୁବର୍ଣ୍ଣା ମହାନ୍ତି (୧୯) ଓ ଆକାଂକ୍ଷା ମହାନ୍ତି (୨୦)। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ କୃତକାର୍ଯ୍ୟ ହୋଇଥିବା ଏହି ୩୯୮ ଜଣ ପରୀକ୍ଷାର୍ଥୀଙ୍କୁ ଓଡ଼ିଶା ପ୍ରଶାସନିକ ସେବା (ଗ୍ରୁପ୍-ଏ ଓ ବି) ୨୦୨୩ ଅଧୀନରେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି। OCS ପରୀକ୍ଷା-୨୦୨୩ ପାଇଁ ଚଳିତ ବର୍ଷ ଏପ୍ରିଲ ମାସ ୧୯, ୨୦, ୨୨, ୨୪, ୨୭ ଓ ମେ’ ୧୫ ତାରିଖରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତା’ପରେ ସେପ୍ଟେମ୍ବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଆଜି ଫଳ ଘୋଷଣା କରାଯାଇଛି। ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି ।


