ନୟାଗଡ଼, (ଓଡ଼ିଶା ଲେଖା): ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଡାକ୍ତରଙ୍କ ଅବହେଳାରୁ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ । ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଗତକାଲି ଭ୍ଯାକସିନ ଟୀକା ଖାଇବା ପରେ ଟିକା ନେଇଥିବା ସ୍ଥାନରୁ ରକ୍ତ ବାହାରିବା କାରଣରୁ ରାତିରେ ପରିବାର ଲୋକେ ଶିଶୁକୁ ମେଡିକାଲ ଆଣିଥିଲେ । ହେଲେ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ। ପରେ ସକାଳୁ ଅସୁସ୍ଥ ହୋଇଥିଲା ଶିଶୁ ପୁତ୍ର । ପୁଣିଥରେ ଆଜି ସକାଳୁ ପରିବାର ଲୋକେ ଶିଶୁକୁ ଡାକ୍ତରଖାନା ଆଣିବା ପରେ ଶିଶୁ ଗୁରୁତର ଥିବା କହି ଡାକ୍ତର ତାଙ୍କୁ ଆଡମିଶନ କରାଇଥିଲେ। ତେବେ ମାତ୍ର ଅଳ୍ପ ସମୟ ପରେ ଶିଶୁଟିର ମୃତ୍ଯୁ ହୋଇଯାଇଥିଲା ।

ଡାକ୍ତରଙ୍କ ଅବହେଳା ପାଇଁ ଶିଶୁର ମୃତ୍ଯୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସମ୍ପର୍କୀୟ ପୋଲିସ ମୁହାଁମୁହିଁ ହୋଇଥିଲେ । ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ ଚିକିତ୍ସା ଅବହେଳାକୁ ଏଡିଏମଓ ଅସ୍ବିକାର କରିଛନ୍ତି । ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ନୟାଗଡ ଡାକ୍ତରଖାନାରେ ଶିଶୁ ମୃତ୍ଯୁ ଘଟଣାର ତଦନ୍ତ କରିବ ଦୁଇଜଣିଆ ଟିମ୍ ।

ମୃତକଙ୍କ ପରିବାର ସଦସ୍ଯ , ପୋଲିସ ଏବଂ ଡାକ୍ତରଖାନାର ଅଧିକାରୀଙ୍କ ମଧ୍ଯରେ ଆଲୋଚନାପରେ ଏହି ପ୍ରତିଶୃତି ଦେଇଛନ୍ତି ସିଡିଏମ୍ଓ । ତଦନ୍ତ ପରେ ତୃଟି ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଚିକିତ୍ସା ଅବହେଳାକୁ ଅସ୍ବିକାର କରିଛନ୍ତି ସିଡିଏମ୍ଓ ସୁଶାନ୍ତ କୁମାର ଦାସ । ଗତକାଲି ସନ୍ଧ୍ଯାରେ ଶିଶୁଟି ସୁସ୍ଥ ଥିଲା କିନ୍ତୁ ଟିକା ନେଇଥିବା ସ୍ଥାନରୁ ବ୍ଲଡ୍ ବାହାରୁଥିବାରୁ ଡାକ୍ତର ବ୍ୟାଣ୍ଡେଜ୍ କରି ଛାଡିଥିଲେ ବୋଲି ସେ କହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ଯୁର କାରଣ ଜଣାପଡିବ ବୋଲି ସିଡିଏମଓ ପ୍ରକାଶ କରିଛନ୍ତି ।


