ନୟାଗଡ଼, (ଓଡ଼ିଶା ଲେଖା): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ବୀର ସହିଦ କଷ୍ଟି ଡାକୁଆଙ୍କ ସହିଦ ଦିବସ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ଥାପିତ ସହିଦ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଦ୍ୟାଳୟର ସମ୍ପାଦକ ତଥା ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ନାୟକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପଦୀପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ସହିତ ମଣ୍ଡପରେ ସ୍ଥାପିତ ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଧୂପପୁଷ୍ପ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କୁ ସମ୍ବୋଧିତ କରି ବିଶିଷ୍ଟ ସାହିତ୍ୟିକ ବିଶ୍ୱନାଥ ମହାପାତ୍ର ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ଓ ସଂଗ୍ରାମମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କଷ୍ଟି ଡାକୁଆ ନୟାଗଡ଼ ଗଡ଼ଜାତ ଅଞ୍ଚଳର ପ୍ରଜାମଣ୍ଡଳ ଆନ୍ଦୋଳନର ଜଣେ ଦୁର୍ଦ୍ଦର୍ଷ ନେତା ଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଦେଶବ୍ୟାପୀ ‘ଭାରତ ଛାଡ଼’ ଆନ୍ଦୋଳନ ଚାଲିଥିବା ସମୟରେ ନୟାଗଡ଼ ଗଡ଼ଜାତ ଅଞ୍ଚଳରେ ରାଜା ଓ ବ୍ରିଟିଶ ଶାସନ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ହୋଇଥିଲା।

ସଂଗ୍ରାମୀ ଲକ୍ଷ୍ମଣ ମହାରଣା, ଶ୍ରୀଧର ଦାଶ, ନାରାୟଣ ନନ୍ଦ ଓ ବାଞ୍ଛାନିଧି ସେନାପତିଙ୍କ ନେତୃତ୍ୱରେ ଗଡ଼ଜାତ ଅଞ୍ଚଳରେ ଆନ୍ଦୋଳନ ଜୋରଦାର ହୋଇଥିଲା। ଥୁଆବାରୀ ଗ୍ରାମ ସମେତ ପାଲବା, ପଞ୍ଚୁପାଣ୍ଡବ ଓ ଶୂଳିଆ ପାହାଡ଼ ତଳି ଅଞ୍ଚଳ ପ୍ରଜାମେଳିର ପ୍ରମୁଖ କେନ୍ଦ୍ର ପାଲଟିଥିଲା।ବକ୍ତାଙ୍କ ବର୍ଣ୍ଣନା ଅନୁଯାୟୀ, ୧୯୪୨ ଅକ୍ଟୋବର ୯ ତାରିଖ ରାତିରେ କୁଶବିଡ଼ାର ଆଦିବାସୀ ନେତା କଷ୍ଟି ଡାକୁଆଙ୍କ ନେତୃତ୍ୱରେ ଶହ ଶହ ପ୍ରଜା ବରକୋଳା ଫରେଷ୍ଟ ବିଟ୍ ନିକଟରେ ଏକତ୍ରିତ ହୋଇଥିଲେ। ପ୍ରଜାପୀଡ଼ନର ପ୍ରତୀକ ଭାବେ ବିବେଚିତ ବିଟ୍ ହାଉସ୍ରେ ନିଆଁ ଲଗାଇବା ପରେ ସେମାନେ ନୂଆଗାଁ ଥାନା ଅଭିମୁଖେ ଅଗ୍ରସର ହୋଇଥିଲେ। ୧୯୪୨ ଅକ୍ଟୋବର ୧୦ ତାରିଖ ସକାଳେ ନୂଆଗାଁ ଥାନାରେ ତ୍ରିରଙ୍ଗା ଉଡ଼ାଇବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଗୁଳିରେ କଷ୍ଟି ଡାକୁଆ ସହିଦ ହୋଇଥିଲେ। ଏହି ଘଟଣାକୁ ସ୍ୱାଧୀନତା ସଂଗ୍ରାମର ଏକ ବୀରତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ବର୍ଣ୍ଣନା କରି ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ତ୍ୟାଗ ଓ ସାହସର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ପରେ ‘ସହିଦ କଷ୍ଟି ଡାକୁଆ ଅମର ରହେ’ ଧ୍ୱନିରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଉଠିଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସେବାବ୍ରତୀ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର, ବିନୋଦିନୀ ବାରିକ, ପୁଷ୍ପିତା ରଥ, ଶୁଭଶ୍ରୀ ଦେହୁଡ଼ି, ସୁଜାତା ସାହୁ, ଲୋପାମୁଦ୍ରା ଗୁରୁମା, ଚନ୍ଦ୍ରଶେଖର ମିଶ୍ର ଓ ଜଗତ କଲ୍ୟାଣ କାଶ୍ୟପ ସହଯୋଗ କରିଥିଲେ। ସହିଦ କଷ୍ଟି ଡାକୁଆଙ୍କ ବଳିଦାନକୁ ସ୍ମରଣ କରିବା ସହ ତାଙ୍କର ସଂଗ୍ରାମମୟ ଜୀବନୀକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

