ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରାଯିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ଏହାଦ୍ୱାରା କ୍ୟାମ୍ପସରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ପସନ୍ଦର ଛାତ୍ରନେତା ବାଛିବା ପାଇଁ ଉତ୍ସାହ ଦେଖାଦେଇଥିଲା। ମାତ୍ର ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରାଯିବା ଫଳରେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହୋଇଛି। ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସେ ଛାତ୍ର ବିରୋଧୀ ବୋଲି ଅଭିହିତ କରିଛନ୍ତି।ଲାଠିପଡ଼ା ମଡେଲ ଡିଗ୍ରୀ ସରକାରୀ କଲେଜ, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଇଟାମାଟି ବଂଶୀଧର ମହାବିଦ୍ୟାଳୟ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ନିର୍ବାଚନ ପ୍ରକ୍ରିୟା ବାତିଲ ହେବାକୁ ନେଇ ଶ୍ରୀଯୁକ୍ତ ଦାଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ମତରେ, ଏହି ମହାବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଆଗେଇ ଚାଲିଥିଲା।

ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶକୁ ଅପେକ୍ଷା କରାଯାଇଥିଲା। ଏଭଳି ସମୟରେ ନିର୍ବାଚନ ବାତିଲ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇବା ସହ କ୍ୟାମ୍ପସର ଭାଇଚାରାକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ନିର୍ବାଚନ ବାତିଲ ସମ୍ପର୍କିତ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ କ୍ୟାମ୍ପସରେ ଗଣତାନ୍ତ୍ରିକ ପରିବେଶ ଅକ୍ଷୁଣ୍ଣ ରଖିବା ପାଇଁ ନିର୍ବାଚନ ପ୍ରକ୍ରିୟା ପୁନର୍ବାର ଆରମ୍ଭ କରିବା ଉଚିତ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଛାତ୍ର ସଂସଦ ନିର୍ବାଚନ ହେଉଥିବା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଅନ୍ୟ କେତେକ ମହାବିଦ୍ୟାଳୟରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ନିର୍ବାଚନ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହେବାର ଆଶଙ୍କା ରହିଥିବା ଶ୍ରୀଯୁକ୍ତ ଦାଶ ଏକ ପ୍ରେସ୍ ବିବୃତିରେ ଚେତାବନୀ ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏହି ବିବାଦ ମଧ୍ୟରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଛାତ୍ରଛାତ୍ରୀ ଓ ରାଜନୈତିକ ମହଲର ନଜର ରହିଛି।

