ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଆ ନାଟ୍ୟଜଗତର ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଅକ୍ଟୋବର ୧୨ ତାରିଖ ପୂର୍ବାହ୍ନରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼ ଶରତଚନ୍ଦ୍ର ମିଶ୍ର, ଡ଼ ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ୱନାଥ ମହାପାତ୍ର, ଡ଼ ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ ନେତା ଏମ୍. ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, ନାଟ୍ୟପ୍ରେମୀ ମିଷ୍ଟର କାଳିଆ, ପବିତ୍ର ଇନ୍ଦ୍ରଜିତ ଓ ସୁଦର୍ଶନ ରାଉତଙ୍କ ସମେତ ବହୁ ସାହିତ୍ୟ ଓ ନାଟ୍ୟପ୍ରେମୀ ଉପସ୍ଥିତ ରହି ଦିବଂଗତ ନାଟ୍ୟକାରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦଶପଲ୍ଲା ମାଟିର ଏହି ଯୋଗଜନ୍ମା ପୁରୁଷ ଓଡ଼ିଆ ନାଟକ ଜଗତର ସଙ୍କଟମୟ ସମୟରେ ନିଜର ଅସାଧାରଣ ସୃଜନଶୀଳତା ଓ ଲେଖନୀ ମାଧ୍ୟମରେ ନାଟକର ମାନ ରକ୍ଷା କରିଥିଲେ। ତାଙ୍କ ରଚିତ ‘ଘର ସଂସାର’, ‘ଭାଇ ଭାଉଜ’ ଓ ‘ନରୋତ୍ତମ ଦାସ କହେ’ ଭଳି ସାମାଜିକ ନାଟକ ଓଡ଼ିଆ ନାଟ୍ୟସାହିତ୍ୟକୁ ସମୃଦ୍ଧ କରିବା ସହ ତାଙ୍କୁ ଜନମାନସରେ ଚିରସ୍ମରଣୀୟ କରି ରଖିଛି। ଓଡ଼ିଆ ନାଟକର ଉନ୍ନତି ଓ ସାମାଜିକ ଚେତନା ଜାଗ୍ରତ କରିବା କ୍ଷେତ୍ରରେ ରାମଚନ୍ଦ୍ର ମିଶ୍ରଙ୍କ ଅବଦାନ ଅତୁଳନୀୟ। ତାଙ୍କର ସାହିତ୍ୟକୃତି ଓ ନାଟ୍ୟପ୍ରତିଭା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉପସ୍ଥିତ ଅତିଥି ଓ ଆୟୋଜକମାନେ ମତବ୍ୟକ୍ତ କରିଥିଲେ।

