ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ଗଣିଆ ଓ ରଣପୁର ବ୍ଲକରେ ବିଡିଓ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହୋଇଥିବା ବଦଳି ବିଜ୍ଞପ୍ତି ଅନୁଯାୟୀ, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ କାର୍ଯ୍ୟରତ ଲାବଣ୍ୟନ୍ଦୁ ମହାନ୍ତିଙ୍କୁ ମାର୍ଶାଘାଇ ବ୍ଲକକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଓଏଏସ୍ ଅଧିକାରୀ ଦାନିଶ କୁମାର ବେହେରାଙ୍କୁ ଗଣିଆ ବ୍ଲକର ନୂତନ ବିଡିଓ ଭାବେ ନିଯୁକ୍ତ କରାଯାଇଛି। ବିଜ୍ଞପ୍ତି ଅନୁସାରେ, ଶ୍ରୀଯୁକ୍ତ ବେହେରା ପୂର୍ବରୁ ଯୋଡ଼ା ବ୍ଲକର ବିଡିଓ ଭାବେ କାର୍ଯ୍ୟରତ ଥିଲେ। ସେହିପରି, ରଣପୁର ବ୍ଲକରେ କାର୍ଯ୍ୟରତ ଥିବା ବିଡ଼ିଓ ମନୋଜ କୁମାର ନାୟକଙ୍କୁ ମହାକାଳପଡା ବ୍ଲକକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଓଏଏସ୍ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ ପୋଡ଼ିଆ ବ୍ଲକରୁ ଆଣି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ନୂତନ ବିଡିଓ ଭାବେ ନିଯୁକ୍ତ କରାଯାଇଛି। ଏହି ପ୍ରଶାସନିକ ଅଦଳବଦଳ ପରେ ଗଣିଆ ଓ ରଣପୁର ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନୂତନ ଅଧିକାରୀମାନଙ୍କ ନେତୃତ୍ୱରେ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ପଞ୍ଚାୟତସ୍ତରୀୟ ପ୍ରଶାସନିକ କାର୍ଯ୍ୟ କିପରି ଆଗକୁ ବଢ଼ିବ, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

