ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ପଞ୍ଚାୟତ ଅଧୀନ ପାଇକି ଢୋଲମରା ଗ୍ରାମର ନିତ୍ୟାନନ୍ଦ ସାହୁ (୭୬)ଙ୍କ ପରଲୋକରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅସୁସ୍ଥତା ଯୋଗୁଁ ସେ କିଛିଦିନ ଧରି ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନିତ୍ୟାନନ୍ଦ ସାହୁ ଜଣେ ସରଳ, ନିରାଡ଼ମ୍ବର, ନିଷ୍କପଟ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ। ଜଣେ ଆଦର୍ଶ ଶିକ୍ଷକ ଓ ଛାତ୍ରବତ୍ସଳ ବ୍ୟକ୍ତି ଭାବେ ତାଙ୍କର ସୁନାମ ଥିଲା। ସମୟାନୁବର୍ତ୍ତିତା, ମାନବିକତା ଓ ପରୋପକାରୀ ମନୋଭାବ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ଥିଲେ। ସେ ପରମ ଦୟାଲ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜଣେ ପରମ ଭକ୍ତ ଥିଲେ। ସତସଙ୍ଗ ଜଗତରେ ଜଣେ ବରିଷ୍ଠ ଓ ଉତ୍ତମ ଗୁରୁଭାଇ ଭାବେ ତାଙ୍କର ବିଶେଷ ପରିଚୟ ରହିଥିଲା। ତାଙ୍କ ବିୟୋଗରେ ସତସଙ୍ଗ ସମାଜ ସମେତ ବନ୍ଧୁ, ପରିଜନ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁତ୍ର ଉପସ୍ଥିତ ଥିଲେ। ବଡ଼ ପୁତ୍ର ଇଂ ରମେଶ କୁମାର ସାହୁ ଭାବେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ସାନ ପୁତ୍ର ଉତ୍କଳ କୁମାର ସାହୁ ନୟାଗଡ଼ ଜିଲ୍ଲାର ଜଣେ ସାମ୍ବାଦିକ ଭାବେ ପରିଚିତ। ତାଙ୍କ ବିୟୋଗରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ମୃତ ଶରୀର ଭୁବନେଶ୍ୱର ଥିବା ବେଳେ ଆଜି ରାତି ସୁଦ୍ଧା ତାଙ୍କର ଶବ ସତ୍କାର କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ବିୟୋଗ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି ହେଉ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

