ଭଞ୍ଜନଗର, (ଓଡ଼ିଶା ଲେଖା): ଏକଦା ଘରେ ଘରେ ଲୋକଙ୍କ ଆମୋଦପ୍ରମୋଦ ଓ ସୂଚନାର ପ୍ରମୁଖ ମାଧ୍ୟମ ଥିଲା ରେଡ଼ିଓ। ବିଭିନ୍ନ ନାମୀଦାମୀ କମ୍ପାନୀର ରେଡ଼ିଓ ପ୍ରତ୍ୟେକ ଘରେ ଦେଖିବାକୁ ମିଳୁଥିଲା। ସକାଳୁ ଖବରଠାରୁ ଆରମ୍ଭ କରି ଶିକ୍ଷାମୂଳକ, ସଙ୍ଗୀତ ଓ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଶୁଣିବା ପାଇଁ ଲୋକେ ରେଡ଼ିଓ ଉପରେ ନିର୍ଭର କରୁଥିଲେ। ତେବେ ସମୟ ବଦଳିବା ସହ ଲୋକଙ୍କ ଚାହିଦା ଓ ମନୋରଞ୍ଜନର ମାଧ୍ୟମରେ ମଧ୍ୟ ପରିବର୍ତ୍ତନ ଆସିଛି। ଇଣ୍ଟରନେଟ ଓ ସ୍ମାର୍ଟଫୋନର ବ୍ୟାପକ ପ୍ରଚଳନ ଯୋଗୁଁ ରେଡ଼ିଓର ଚାହିଦା ଅନେକାଂଶରେ ହ୍ରାସ ପାଇଛି। ଏହାସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା କେତେକ ରେଡ଼ିଓ ଷ୍ଟେସନ ମଧ୍ୟ ବନ୍ଦ ହୋଇଯାଇଛି। ଏଭଳି ସମୟରେ କଳା ଓ ସଂସ୍କୃତିର ମାଟି ଘୁମୁସରରେ ରେଡ଼ିଓ ପରମ୍ପରାକୁ ପୁଣି ଜୀବନ୍ତ କରିବା ପାଇଁ ‘ଆଇନା’ ଅନୁଷ୍ଠାନ ପକ୍ଷରୁ ‘ରେଡ଼ିଓ ଆଇନା ଘୁମୁସର’ ଷ୍ଟେସନ ନିର୍ମାଣ କରାଯାଇଛି। ଗତ ଦୁଇ ମାସ ଧରି ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଲୋକଙ୍କ ମଧ୍ୟରେ ରେଡ଼ିଓ ପ୍ରତି ଆଗ୍ରହ ବଢ଼ାଇବା ସହ ଘୁମୁସର ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିଙ୍କୁ ଏକ ମଞ୍ଚ ଯୋଗାଇଦେବା ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ। ବିଶେଷକରି ‘ଘୁମୁସର ସ୍ୱର’ କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଲୋକକଳାକାର, ଲୋକସଂସ୍କୃତି ସହ ଜଡ଼ିତ ବ୍ୟକ୍ତି, ସାହିତ୍ୟିକ, ଲେଖକ ଓ ବିଭିନ୍ନ ବର୍ଗର ପ୍ରତିଭାଙ୍କୁ ସାମିଲ କରାଯାଉଛି। ପ୍ରତିଦିନ ବିଭିନ୍ନ ବିଷୟ ଓ ପ୍ରତିଭାକୁ ନେଇ କାର୍ଯ୍ୟକ୍ରମ ପ୍ରସାରଣ ହେଉଥିବାରୁ ଏହା ଘୁମୁସର ଅଞ୍ଚଳର କଳା, ସଂସ୍କୃତି ଓ ସାହିତ୍ୟକୁ ଲୋକଲୋଚନକୁ ଆଣିବାରେ ଏକ ନୂଆ ପ୍ରୟାସ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ରେଡ଼ିଓ ଥିବା ଲୋକମାନେ ୮୮.୪ FM ମାଧ୍ୟମରେ ‘ରେଡ଼ିଓ ଆଇନା ଘୁମୁସର’ ଶୁଣିପାରିବେ। ଏଥିସହ ମୋବାଇଲରେ ରେଡ଼ିଓ ଆପ୍ ମାଧ୍ୟମରେ ମଧ୍ୟ ଏହାର କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ରହିଛି।
ରିପୋର୍ଟ: ରବି ନାରାୟଣ ଦାଶ

