ନୟାଗଡ଼, (ଓଡ଼ିଶା ଲେଖା): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅବସରରେ ନୟାଗଡ଼ ଖଣ୍ଡପଡ଼ା ରୋଡ଼ସ୍ଥିତ ବରିଷ୍ଠ ନାଗରିକ କେନ୍ଦ୍ର ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି। ଏଲଡର୍ସ ଭିଜନ୍ ଓ ଆକ୍ସନ୍ ଗ୍ରୁପ୍ ଆନୁକୂଲ୍ୟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇଥିଲେ। ଏଥିସହ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ, ବରିଷ୍ଠ ନାଗରିକ ଏବଂ ଆକ୍ସନ୍ ଗ୍ରୁପ୍ର ପ୍ରାକ୍ତନ ସଭାପତି ବିଶ୍ୱନାଥ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକମାନଙ୍କ ଅନୁଭୂତି ଓ ଅଭିଜ୍ଞତା ଯୁବପିଢ଼ି ପାଇଁ ଅନୁକରଣୀୟ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ବିଶ୍ୱବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇ ଆସୁଛି ବୋଲି ସେମାନେ କହିଥିଲେ। ଆକ୍ସନ୍ ଗ୍ରୁପ୍ର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ହରିବନ୍ଧୁ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ଦିବାକର ନିଶଙ୍କ ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

