ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ନୟାଗଡ଼ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ, ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାତଃ ୪ଟା ୩୦ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପ୍ରଚାର ସହ ସହର ପରିକ୍ରମା କରାଯାଇଥିଲା। ସକାଳ ୮ଟାରେ ତ୍ରିନାଥ ଛକ ନିକଟସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ପରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ସାଧାରଣ ସଭା, ସର୍ବଧର୍ମ ପ୍ରାର୍ଥନା ଓ ସ୍ୱଚ୍ଛତା ଶପଥ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ସର୍ବଧର୍ମ ପ୍ରାର୍ଥନାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ବାଣ୍ଠ ଗୀତା ପାଠ, ସିନ୍ଧୁରିଆର ଶେଖ ଅବଦୁଲ ରହିମ କୋରାନ୍ ପାଠ ଏବଂ ନୟାଗଡ଼ ଚର୍ଚ୍ଚର ଫାଦର କପିଳାସ ନାୟକ ବାଇବେଲ ପାଠ କରି ଏକତା ଓ ଧର୍ମନିରପେକ୍ଷତାର ବାର୍ତ୍ତା ଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସମେତ ପୌର ପରିଷଦର ପାରିଷଦବୃନ୍ଦ ଉପସ୍ଥିତ ଥିଲେ। ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ଡ଼ ସାହୁ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜେ ସ୍ୱଚ୍ଛତା ରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପାଇଁ ପ୍ରେରିତ କରିବା ହିଁ ଗାନ୍ଧୀଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ସ୍ୱଚ୍ଛତା ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ପଟ୍ଟନାୟକ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିବା ସହ ରାସ୍ତାଘାଟରେ ଅଳିଆ ନ ପକାଇବା ଓ ଅନ୍ୟମାନଙ୍କୁ ମଧ୍ୟ ଅଳିଆ ନ ପକାଇବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। ସେ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଗାନ୍ଧୀଜୀଙ୍କ ଅହିଂସା, ସରଳ ଜୀବନଯାପନ ଓ ସ୍ୱଚ୍ଛତାର ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଆଜିର ଯୁବପିଢ଼ି ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ। କେବଳ ରାସ୍ତାଘାଟ ସଫା କଲେ ସ୍ୱଚ୍ଛତା ଆସିବ ନାହିଁ; ଘର ଓ ପରିବେଶକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ଘରର ପରିବେଶ ଅସ୍ୱଚ୍ଛ ରହିଲେ ଶିଶୁମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ଥିବା ସେ କହିଥିଲେ। ଏହାସହ ସ୍ୱଚ୍ଛ ନୟାଗଡ଼ ଓ ନଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ସଫେଇ ମିତ୍ରମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଫାଷ୍ଟଏଡ୍ କିଟ୍ ବଣ୍ଟନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ଅତିଥି, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ସିଭିଲ୍ ସୋସାଇଟି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

