ନରସିଂହପୁର, (ଓଡ଼ିଶା ଲେଖା): ନରସିଂହପୁର ମୁକ୍ତି ସଂଗଠନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ଆଦର୍ଶକୁ ସ୍ମରଣ କରାଯିବା ସହ ସମାଜରୁ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଆଇନଜୀବୀ ଜ୍ଞାନରଞ୍ଜନ ନାୟକ, ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ, ଆଇନଜୀବୀ ରବୀନ୍ଦ୍ର କୁମାର ସାହୁ, ଆଇନଜୀବୀ ଏନ୍. ଦେବକୁମାର, ଚାଷୀ ନେତା ନିରଞ୍ଜନ ଜେନା, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ଧଳ, ମଦବିରୋଧୀ ନେତ୍ରୀ ଅଞ୍ଜଳି ପ୍ରଧାନ ଓ ସଂଗଠକ ଅନ୍ନପୂର୍ଣ୍ଣା ପଟ୍ଟନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ। ଗାନ୍ଧି ଜୟନ୍ତୀ ଅବସରରେ ନିଜ ଅଞ୍ଚଳକୁ ନିଶାମୁକ୍ତ କରିବା ସହ ସମାଜରେ ନିଶା ବିରୋଧୀ ସଚେତନତା ବୃଦ୍ଧି ପାଇଁ ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ। ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ି, ଅଭିଭାବକ ଓ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତା ଓ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ସାମାଜିକ କର୍ମୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ରହିଥିଲା।

