ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ନୋତର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ଗାନ୍ଧୀଜୀଙ୍କ ଜୀବନ, ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସରଳ ଜୀବନ ଆଦର୍ଶ ସମ୍ପର୍କରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇ ଜାତିର ପିତାଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ। ଗାନ୍ଧୀଜୀଙ୍କ ଶାନ୍ତି, ଏକତା, ସତ୍ୟ ଓ ସରଳତାର ବାର୍ତ୍ତାକୁ ଜନଜୀବନରେ ପ୍ରତିଫଳିତ କରିବା ସହ ଏକ ସୁସ୍ଥ ଓ ଉନ୍ନତ ସମାଜ ଗଠନରେ ସମସ୍ତେ ଅବଦାନ ରଖିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଗାନ୍ଧୀ ଜୟନ୍ତୀ ପାଳନ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ଗାନ୍ଧୀଜୀଙ୍କ ଆଦର୍ଶ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

