ନୂଆଦିଲ୍ଲୀ, (ଓଡ଼ିଶା ଲେଖା): ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ନେପାଳ ପାଇଁ ସହାୟତାର ହାତ ବଢ଼ାଇଛି ଭାରତ। ମାନବିକତାର ନଜିର ସୃଷ୍ଟି କରି ପ୍ରଥମ ଦେଶ ଭାବେ ଭାରତ ନେପାଳକୁ ପ୍ରାୟ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଥିବା ଜଣାପଡ଼ିଛି। ବନ୍ୟା ଯୋଗୁଁ ନେପାଳର ବିଭିନ୍ନ ଅଞ୍ଚଳରେ ଜନଜୀବନ ବ୍ୟାହତ ହୋଇଛି। ଅନେକ ଲୋକ ଘରଦ୍ୱାର ହରାଇଥିବା ବେଳେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି। ଏଭଳି ସଙ୍କଟ ସମୟରେ ଭାରତର ତ୍ୱରିତ ସହାୟତା ନେପାଳବାସୀଙ୍କ ପାଇଁ ଆଶ୍ୱାସନ ଆଣିଛି। ଭାରତ ପକ୍ଷରୁ ପଠାଯାଇଥିବା ରିଲିଫ ସାମଗ୍ରୀରେ ବନ୍ୟା ପ୍ରଭାବିତଙ୍କ ପାଇଁ ଆବଶ୍ୟକ ଖାଦ୍ୟ, ଟେଣ୍ଟ, କମ୍ବଳ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ ଥିବା ସୂଚନା ମିଳିଛି। ଭାରତର ଏହି ପଦକ୍ଷେପ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା ମାନବିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜବୁତ କରିଛି।

ଅନ୍ୟପକ୍ଷରେ, ନେପାଳର ବନ୍ୟା ପରିସ୍ଥିତିକୁ ନେଇ ବିଶ୍ୱର ବିଭିନ୍ନ ଦେଶ ମଧ୍ୟ ଚିନ୍ତା ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ସହାୟତା ଓ ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୀଘ୍ର ରିଲିଫ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି।ସଙ୍କଟ ସମୟରେ ପଡ଼ୋଶୀଙ୍କ ପାଖରେ ଠିଆ ହୋଇ ଭାରତ ପୁଣିଥରେ ‘ବସୁଧୈବ କୁଟୁମ୍ବକମ୍’ର ବାର୍ତ୍ତା ଦେଇଛି।

