ନୟାଗଡ଼, (ଓଡ଼ିଶା ଲେଖା): ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ଅମରାବତୀ ପର୍ଯ୍ୟନ୍ତ ପ୍ରସ୍ତାବିତ ଖଡ଼ଗପୁର–ଅମରାବତୀ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ପୂର୍ବ ଭାରତର ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗକୁ ନୂଆ ଦିଗ ଦେବାକୁ ଥିବା ଏକ ପ୍ରମୁଖ କରିଡର ଭାବେ ପରିଗଣିତ ହେଉଛି। ପ୍ରାୟ ୧,୧୦୭ କିମି ଦୀର୍ଘ ଏହି ପ୍ରସ୍ତାବିତ ଏକ୍ସପ୍ରେସୱେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ।ପ୍ରସ୍ତାବିତ ପ୍ରକଳ୍ପର ଆନୁମାନିକ ବ୍ୟୟ ପ୍ରାୟ ୭୫,୬୨୯ କୋଟି ଟଙ୍କା ରହିଥିବାବେଳେ ଏହା ୪/୬ ଲେନ୍ ବିଶିଷ୍ଟ ହାଇସ୍ପିଡ୍ କରିଡର ଭାବେ ବିକଶିତ ହେବାକୁ ଯୋଜନା ରହିଛି। ପ୍ରାୟ ୯୦ ମିଟର ରାଇଟ୍ ଅଫ୍ ୱେ (ROW) ରଖାଯାଇଥିବା ଏହି କରିଡରର ଡିଜାଇନ୍ ସ୍ପିଡ୍ ୧୦୦ରୁ ୧୨୦ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ରହିବାକୁ ପ୍ରସ୍ତାବ ରହିଛି। ଏହି ଏକ୍ସପ୍ରେସୱେ ଓଡ଼ିଶାରେ ପ୍ରାୟ ୫୨୨ କିମି ଅତିକ୍ରମ କରିବ। ରାଜ୍ୟର ୯ଟି ଜିଲ୍ଲା ଦେଇ ଏହା ଯିବାକୁ ପ୍ରସ୍ତାବ ରହିଛି। ଜିଲ୍ଲାଭିତ୍ତିକ ଭାବେ ପ୍ରସ୍ତାବିତ ଦୈର୍ଘ୍ୟ ହେଉଛି– ମୟୂରଭଞ୍ଜ ଜିଲ୍ଲାର ୮୬ କିମି, କେନ୍ଦୁଝର ଜିଲ୍ଲାର ୮୬ କିମି, ଢେଙ୍କାନାଳ ଜିଲ୍ଲାର ୮୮ କିମି, କଟକ ଜିଲ୍ଲାର ୨୧ କିମି, ନୟାଗଡ଼ ଜିଲ୍ଲାର ୩୮ କିମି, ଗଞ୍ଜାମ ଜିଲ୍ଲାର ୯୭ କିମି, ଗଜପତି ଜିଲ୍ଲାର ୩୬ କିମି, ରାୟଗଡ଼ା ଜିଲ୍ଲାର ୫୩ କିମି ଓ କୋରାପୁଟ ଜିଲ୍ଲାର ୧୭ କିମି । ଏହି କରିଡର ଓଡ଼ିଶାର ଉତ୍ତର ଅଞ୍ଚଳରୁ ଦକ୍ଷିଣ ଅଞ୍ଚଳ ପର୍ଯ୍ୟନ୍ତ ଉନ୍ନତ ସଡ଼କ ଯୋଗାଯୋଗ ସୃଷ୍ଟି କରିବା ସହ ଖଣିଜ ସମ୍ପଦସମୃଦ୍ଧ ଅଞ୍ଚଳ, ଶିଳ୍ପ ଓ ଆର୍ଥିକ କେନ୍ଦ୍ରଗୁଡ଼ିକୁ ଦ୍ରୁତ ଗତିରେ ସଂଯୋଗ କରିବାରେ ସହାୟକ ହେବାର ଆଶା ରହିଛି। ଯାହାଫଳରେ NH-16 ଉପରେ କମିବ ଚାପ। ପ୍ରସ୍ତାବିତ ଏକ୍ସପ୍ରେସୱେର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ଜାତୀୟ ରାଜପଥ-୧୬ (କୋଲକାତା–ଚେନ୍ନାଇ ରୁଟ୍) ଉପରେ ଥିବା ଯାତାୟାତ ଚାପକୁ କମାଇବା। ଏହା ଫଳରେ ଦୀର୍ଘଦୂର ଯାତାୟାତ ପାଇଁ ଏକ ବିକଳ୍ପ ଦ୍ରୁତଗତି ସଡ଼କ ନେଟୱର୍କ ଉପଲବ୍ଧ ହୋଇପାରେ। କୋଲକାତାରୁ ଅମରାବତୀ ମଧ୍ୟରେ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବାର ଆଶା କରାଯାଉଛି। ପ୍ରସ୍ତାବିତ ଆଲାଇନମେଣ୍ଟକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଥିବା ତଥ୍ୟ ଦିଆଯାଇଛି। ମାର୍ଚ୍ଚ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ଆର୍ଥିକ ଓ ନିର୍ମାଣ ଅନୁମୋଦନ ହାସଲ କରିବା ଲକ୍ଷ୍ୟ ରହିଛି। ଖଡ଼ଗପୁର–ଅମରାବତୀ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ନିର୍ମାଣ ହେଲେ ପୂର୍ବ ଭାରତରେ ମାଲ ପରିବହନ, ଶିଳ୍ପ ଓ ବାଣିଜ୍ୟିକ ଯୋଗାଯୋଗ ସହିତ ଆନ୍ତଃରାଜ୍ୟ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ସମ୍ଭାବନା ରହିଛି।

