ନୟାଗଡ଼, (ଓଡ଼ିଶା ଲେଖା): ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକି ନୟାଗଡ଼ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ପଣ୍ଡୁସର ପଞ୍ଚାୟତ ସୁନାଲଟି ଗ୍ରାମର କୁନି ପ୍ରତିଭା ଆୟାନି ଅଲିଶା ଆକାଂକ୍ଷା। ଥାଇଲାଣ୍ଡରେ ଅନୁଷ୍ଠିତ ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ୨୦୨୬’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ସେ ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଏସିଆ’ ଟାଇଟଲ୍ ହାସଲ କରିଛନ୍ତି। ଏଥିସହ ଆୟାନି ‘ବେଷ୍ଟ ୱାକ୍’ ସମେତ ଏକାଧିକ ସବ୍-ଟାଇଟଲ୍ ମଧ୍ୟ ହାସଲ କରି ଦେଶ, ଓଡ଼ିଶା ଓ ନୟାଗଡ଼ର ନାମକୁ ଅନ୍ତର୍ଜାତୀୟ ମଞ୍ଚରେ ଉଜ୍ଜ୍ୱଳ କରିଛନ୍ତି। ସୂଚନାନୁସାରେ, ୨୦୨୫ ମସିହାରେ ଆୟାନି ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଇଣ୍ଡିଆ’ ଟାଇଟଲ୍ ବିଜୟୀ ହୋଇଥିଲେ। ଏହାପରେ ୨୦୨୬ରେ ଥାଇଲାଣ୍ଡରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଦେଶରୁ ପ୍ରାୟ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ଆୟାନି ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆୟାନି ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ କାର୍ମେଲ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍ର ୯ମ ଶ୍ରେଣୀର ଛାତ୍ରୀ। ପାଠପଢ଼ା ସହିତ ସେ ଜଣେ ଦକ୍ଷ ଆଥଲେଟ୍ ଓ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ପରିଚିତ। ଅଭିନୟ, ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ତାଙ୍କର ପ୍ରମୁଖ ଆଗ୍ରହ। ଭବିଷ୍ୟତରେ ନିଜ ପ୍ରତିଭା ମାଧ୍ୟମରେ ଦେଶ ପାଇଁ ଆହୁରି ଗୌରବ ଆଣିବା ତାଙ୍କର ଲକ୍ଷ୍ୟ। ଆୟାନିଙ୍କ ପ୍ରେରଣାର ମୁଖ୍ୟ ସ୍ରୋତ ହେଉଛନ୍ତି ତାଙ୍କ ବଡ଼ ଭଉଣୀ ପ୍ରଜ୍ଞା ପର୍ଣ୍ଣିତା। ପ୍ରଜ୍ଞା ମଧ୍ୟ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ଟାଇଟଲ୍ ହାସଲ କରିଥିବାରୁ, ଭଉଣୀଙ୍କ ପ୍ରେରଣା ଓ ସମର୍ଥନ ଆୟାନିଙ୍କ ସଫଳତାରେ ବିଶେଷ ଭୂମିକା ନେଇଛି।ଆୟାନିଙ୍କ ବାପା ଗୋପାଳ ଚନ୍ଦ୍ର ଦଳେଇ ଓ ମା’ କଳ୍ପନା ମଞ୍ଜରୀ ଦଳେଇ। ଝିଅର ଏହି ଅନ୍ତର୍ଜାତୀୟ ସଫଳତାରେ ପରିବାର, ବିଦ୍ୟାଳୟ ଓ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି। ଆୟାନି ଆଗାମୀ ଦିନରେ ଆହୁରି ବଡ଼ ମଞ୍ଚରେ ଦେଶର ନାମ ଉଜ୍ଜ୍ୱଳ କରିବେ ବୋଲି ପରିବାର, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନେ ଆଶାବାଦୀ ଅଛନ୍ତି। ତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

