ନୟାଗଡ଼, (ଓଡ଼ିଶା ଲେଖା): ଯୁବ ସରପଞ୍ଚ ଇଂ ମନୋଜ କୁମାର ନାୟକ ଯୁବ ଓ ଛାତ୍ର ସମାଜ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଥିଲେ। ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଭାବେ ସେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେବା ସହ ଆବାଳବୃଦ୍ଧବନିତାଙ୍କ ପ୍ରିୟଭାଜନ ହୋଇପାରିଥିଲେ। ମାତ୍ର ୩୪ ବର୍ଷ ବୟସରେ ଜଣେ କର୍ମନିଷ୍ଠ ଓ ଦୃଢ଼ମନା ରାଜନେତା ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗତ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମନୋଜଙ୍କ ପରଲୋକ ଘଟିଥିବା ବେଳେ ତାଙ୍କ ବିୟୋଗରେ ନୟାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକେ ତାଙ୍କ ସ୍ମୃତିଚାରଣ କରୁଛନ୍ତି। ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମନୋଜ କୁମାର ନାୟକଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ଜୀବନ ଓ ସାଂଗଠନିକ ଅବଦାନକୁ ନେଇ ବହୁ ବ୍ୟକ୍ତି ସ୍ମୃତିଚାରଣ କରିଥିଲେ। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମନୋଜଙ୍କ ସହ ନିଜର ସ୍ମୃତି ଏବଂ ତାଙ୍କ ଚିକିତ୍ସା ସମୟର ଘଟଣାବଳୀ ସ୍ମରଣ କରି ଗଭୀର ଶୋକବ୍ୟକ୍ତ କରିଥିଲେ।

ବାଲୁଗାଁ ପଞ୍ଚାୟତ ସମେତ ନୟାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସହ ମନୋଜଙ୍କ ସୁସମ୍ପର୍କ ଥିବା ନେଇ ସଭାରେ ମତ ପ୍ରକାଶ ପାଇଥିଲା। ଶୋକସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବରିଷ୍ଠ ବିଜେଡ଼ି ନେତ୍ରୀ ଇରାନୀ ରାୟ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ କୁମାର ମହାପାତ୍ର ଓ ସୁବାଷ ଚନ୍ଦ୍ର କହଁର, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ନୟାଗଡ଼, ଓଡ଼ଗାଁ ବ୍ଲକ ଓ ନୟାଗଡ଼ ସହରର ବହୁ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁ ଯୋଗଦେଇଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତେ ମନୋଜଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ।


