ନୟାଗଡ଼, (ଓଡ଼ିଶା ଲେଖା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଗଛରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାଟି ରଣପୁର ଥାନା ଅଞ୍ଚଳର ଭାଲିଆ ତଇଲା ଜଙ୍ଗଲରେ ଘଟିଛି ଏହି ଅଘଟଣ।ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ନୋତର ପଞ୍ଚାୟତ କୋଡ଼ିଏ କାହାଣିଆ ଗ୍ରାମର ମାନସ କୁମାର ବେହେରା ଗତକାଲି କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାନସଙ୍କ ସନ୍ଧାନ ନମିଳିବାରୁ ଇଟାମାଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଧୀନରେ ଥିବା ଗୋପୀନାଥପୁରଭାଲିଆ ତଇଲା ଜଙ୍ଗଲକୁ କିଛି ଲୋକ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ କାଜୁ ଗଛରେ ଜଣେ ଯୁବକ ଝୁଲୁଥିବା ଦେଖିଥିଲେ। ସ୍ଥାନୀୟ ଲୋକଦର୍ପନାରାୟଣପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାନସଙ୍କ ପରିବାରକୁ ଖବର ଦିଆଯାଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ମାନସଙ୍କର ବୋଲି ଚିହ୍ନଟ କରିଥିବା ଜଣାପଡ଼ିଛି। ଖବର ପାଇ ରଣପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ମାନସଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ଗଛରେ ଝୁଲାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ।

