ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ବିଭିନ୍ନ ଆଶ୍ରମ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ସୁବିଧା ଓ ସାମଗ୍ରିକ ପରିଚାଳନା ଯାଞ୍ଚ ପାଇଁ ୧୧ ଜଣିଆ କମିଟି ଗଠନ କରାଯାଇଛି। ସେପ୍ଟେମ୍ବର ୨ରେ ଅନୁଷ୍ଠିତ ଜିଲ୍ଲା ପରିଷଦର ଦ୍ୱାଦଶ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି କମିଟି ଗଠିତ ହୋଇଛି। ନୟାଗଡ଼ର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା କମିଟିର ଅଧ୍ୟକ୍ଷା ରହିଛନ୍ତି। କମିଟିରେ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ କୁମାର ମହାପାତ୍ର, ରାମେଶ୍ୱର ଶତପଥୀ, ଲକ୍ଷ୍ମୀପ୍ରିୟା ତରେଇ, ହରିଶ୍ଚନ୍ଦ୍ର ଜାନି, ସରୋଜ କୁମାର ରଣସିଂହ, ସୁବାସ ଚନ୍ଦ୍ର କଅଁର, ସଞ୍ଜୁକ୍ତା ପାଢ଼ିଆରୀ, ପ୍ରତିମା ଦଳବେହେରା, ବିଜୟ ସାମନ୍ତରାୟ ଓ ନରେଶ ବେହେରା ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। କମିଟି ପକ୍ଷରୁ ଜିଲ୍ଲାର ଆଶ୍ରମ ବିଦ୍ୟାଳୟଗୁଡ଼ିକର ପରିଦର୍ଶନ ଓ ଯାଞ୍ଚ କରାଯାଇ ବିଦ୍ୟାଳୟଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହି ପଦକ୍ଷେପ ଫଳରେ ଆଶ୍ରମ ବିଦ୍ୟାଳୟଗୁଡ଼ିକର ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆଣିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।

