ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓକିଲ ସଂଘର ବରିଷ୍ଠ ତଥା ବୟୋଜ୍ୟେଷ୍ଠ ଆଇନଜୀବୀ ସ୍ୱର୍ଗତ ଜୟଦେବ ନାୟକଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଛି। ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ସମସ୍ତ ଆଇନଜୀବୀ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଏହି ଅବସରରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଶୋକସଭାରେ ସଭାପତି ରଣଜିତ ଦାଶଙ୍କ ସମେତ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ, କାର୍ତ୍ତିକ ନାୟକ, ବିରଞ୍ଚି କୁମାର ଦାସ, ମଦନ ମୋହନ ପଣ୍ଡା ଓ ସନ୍ତୋଷ କୁମାର ରାଉତରାୟ ପ୍ରମୁଖ ସ୍ୱର୍ଗତ ଜୟଦେବ ନାୟକଙ୍କ ସ୍ମୃତିଚାରଣ କରି ତାଙ୍କ ଆଇନ କ୍ଷେତ୍ର ପ୍ରତି ଅବଦାନ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ସଂଘ ସମ୍ପାଦକ ସ୍ୱଦେଶ ମିଶ୍ର ମଧ୍ୟ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ। ସଂଘର ପରମ୍ପରା ଅନୁଯାୟୀ ତାଙ୍କ ସମ୍ମାନାର୍ଥେ ଆଇନଜୀବୀମାନେ ସେଦିନ କୋର୍ଟ କାର୍ଯ୍ୟରେ ଯୋଗ ଦେଇନଥିଲେ। ସ୍ୱର୍ଗତ ଜୟଦେବ ନାୟକ ନୟାଗଡ଼ ଏସ୍ଡିଜେଏମ୍ଙ୍କ ଅଦାଲତରେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।ପୁରୀ ସ୍ୱର୍ଗଦ୍ୱାରଠାରେ ସ୍ୱର୍ଗତ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ସୁପୁତ୍ର ମନୋଜ କୁମାର ନାୟକ ମୁଖାଗ୍ନି ଦେଇଥିଲେ। ତାଙ୍କ ସାନ ପୁଅ ସମୀର କୁମାର ନାୟକ ମଧ୍ୟ ବର୍ତ୍ତମାନ ଓକିଲାତି କରୁଛନ୍ତି। ନୟାଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ୱର୍ଗତ ଆଇନଜୀବୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।

