ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ “Youth Power, Better Tomorrow” ବାର୍ତ୍ତାକୁ ନେଇ ଯୁବପିଢ଼ିର ଭୂମିକା ଓ ଆସନ୍ତାକାଲିର ସମାଜ ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି Gen Z ପିଢ଼ିର ସାମାଜିକ ଦାୟିତ୍ୱ, ନେତୃତ୍ୱ ଦକ୍ଷତା ଏବଂ ବର୍ତ୍ତମାନ ସମୟର ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ମତବିନିମୟ କରାଯାଇଥିଲା। ଯୁବପିଢ଼ିଙ୍କୁ ସାମାଜିକ ଓ ଗଣତାନ୍ତ୍ରିକ କାର୍ଯ୍ୟକଳାପରେ ଅଧିକ ସକ୍ରିୟ କରିବା ସହ ଯୁବମାନଙ୍କ ମତାମତ ଓ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଥିଲା। ଦେଶରେ ଦରଦାମ ବୃଦ୍ଧି, ପେପର୍ ଲିକ୍, ଖଣି ପ୍ରସଙ୍ଗଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ରଖିଥିଲେ । ଦେଶର ପରିସ୍ଥିତିକୁ ଆଖି ଆଗରେ ରଖି ଜେନ ଜି ମାନେ ନିଜର ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି କହିଛନ୍ତି । ଛାତ୍ର ସଂଗଠନ କିଭଳି ମଜବୁତ୍ ହେବ, ସେ ନେଇ କାର୍ଯ୍ୟ କରିବା ଉପରେ ଛାତ୍ରନେତାମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଜେଡ଼ିର ବିଭିନ୍ନ କର୍ମକର୍ତ୍ତା, ଯୁବନେତା ଓ ବିଭିନ୍ନ ବର୍ଗର ପ୍ରତିନିଧିମାନେ ଯୋଗଦେଇ ଯୁବଶକ୍ତିକୁ ସଂଗଠିତ ଓ ସକ୍ରିୟ କରିବା ନେଇ ମତ ରଖିଥିଲେ। କାର୍ଯ୍ୟକ୍ରମଟି ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର, ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ଅମରେଶ୍ୱର ଜେନା, ଛାତ୍ରନେତା ନୀଳମାଧବ ପଣ୍ଡା, ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଯୁବନେତା ବିଭୂପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।

