ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି ଜିଲ୍ଲା କଂଗ୍ରେସ। ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଜଣେ ସରକାରୀ ଡାକ୍ତର ଅଲଟ୍ରାସାଉଣ୍ଡ କରୁଥିବା ଅଭିଯୋଗ ଆଣି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଭିଯୋଗ ଅନୁଯାୟୀ, ନୟାଗଡ଼ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ନିକଟସ୍ଥ ଲାଇଫ୍ କେୟାର ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ସରକାରୀ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ ଖଟୁଆ ଅଲଟ୍ରାସାଉଣ୍ଡ କରୁଥିବା ଖବର ପାଇ କଂଗ୍ରେସର ଏକ ଟିମ୍ ସେଠାରେ ପହଞ୍ଚିଥିଲା।

ଏହି ଘଟଣାକୁ ନେଇ ଦଳ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି।କଂଗ୍ରେସ ପ୍ରଶ୍ନ କରିଛି ଯେ, ସମ୍ପୃକ୍ତ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ଅଲଟ୍ରାସାଉଣ୍ଡ ମେସିନ୍ କାହା ନାମରେ ରେଜିଷ୍ଟ୍ରେସନ ହୋଇଛି ? ଯଦି ମେସିନ୍ଟି ଡାକ୍ତର ଖଟୁଆଙ୍କ ନାମରେ ରେଜିଷ୍ଟ୍ରେସନ ହୋଇନାହିଁ, ତେବେ ସେ କେଉଁ ଆଇନଗତ ଆଧାରରେ ସେଠାରେ ଅଲଟ୍ରାସାଉଣ୍ଡ କରୁଥିଲେ ବୋଲି ଦଳ ପ୍ରଶ୍ନ ଉଠାଇଛି। ଏହା ସହିତ ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ ରିପୋର୍ଟ ସମ୍ପର୍କରେ ମଧ୍ୟ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ନିୟମ ଅନୁଯାୟୀ ଆବଶ୍ୟକ ଫର୍ମ-ଡି ପ୍ରସ୍ତୁତ ନକରି ଫର୍ମ-ଏଫ୍ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଦଳ ଅଭିଯୋଗ କରିଛି। ଏଭଳି ଘଟଣା ଭ୍ରୂଣର ଲିଙ୍ଗ ଚିହ୍ନଟ ଭଳି ଅନିୟମିତତାର ସମ୍ଭାବନା ସୃଷ୍ଟି କରୁଥିବାରୁ ଏହାର ତଦନ୍ତ ଆବଶ୍ୟକ ବୋଲି ରଣଜିତ ଦାଶ କହିଛନ୍ତି।ଅନ୍ୟପକ୍ଷରେ, ଯେଉଁ ବିଲ୍ଡିଂରେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ହୋଇଛି, ସେଠାରେ ପ୍ଲାଇ ପାର୍ଟିସନ୍ କରି ଡାକ୍ତର ଶତ୍ରୁଘ୍ନ ନାୟକ ରୋଗୀ ଦେଖୁଥିବା ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଅନିୟମିତତାକୁ କିପରି ଅଧିକାରୀମାନେ ଅଣଦେଖା କରୁଛନ୍ତି, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦଳ କହିଛି।ସରକାରୀ ଡାକ୍ତରମାନେ ଅଧିକ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ ବିଭିନ୍ନ ଘରୋଇ କ୍ଲିନିକ୍ ଓ ନର୍ସିଂହୋମ୍ରେ ରୋଗୀ ଦେଖୁଥିବା ଅଭିଯୋଗ କରି ଏହା ଉପରେ ରୋକ୍ ଲଗାଇବାକୁ କଂଗ୍ରେସ ଦାବି କରିଛି। ଆସନ୍ତା ସୋମବାର ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ସିଡିଏମ୍ଓଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ ଓ ଦାବିପତ୍ର ପ୍ରଦାନ କରିବ ବୋଲି ଜଣାପଡ଼ିଛି। ଡାକ୍ତର ଦିନେଶ ଖଟୁଆ ଓ ଡାକ୍ତର ଶତ୍ରୁଘ୍ନ ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଲାଇଫ୍ କେୟାର ଡାଇଗ୍ନୋଷ୍ଟିକ୍ର ଅଲଟ୍ରାସାଉଣ୍ଡ ମେସିନ୍ର ରେଜିଷ୍ଟ୍ରେସନ ଓ ନିୟମିତ ଡାକ୍ତରଙ୍କ ସମ୍ପର୍କରେ ତଦନ୍ତ କରିବାକୁ ଦଳ ଦାବି କରିଛି। ତେବେ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ଜଣାପଡ଼ିବ।

