ଭଞ୍ଜନଗର, (ଓଡ଼ିଶା ଲେଖା): ପୁଷ୍ପା ଫିଲ୍ମ୍ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ। ପୋଲିସ୍ ଆଖିରେ ଧୂଳି ଦେବା ପାଇଁ ଗାଡ଼ିରେ ସିକ୍ରେଟ ଚାମ୍ବର କରି ଡାଲାରେ ପାଣି ଟାଙ୍କି ରଖି ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜାମ ଭଞ୍ଜନଗର ଥାନା ଡ଼ହ ବଙ୍ଗଳା ନିକଟରୁ ଜବତ ହୋଇଛି ଗଞ୍ଜେଇ ଭର୍ତି ଗାଡ଼ି। ୨୧୦ କେଜି ଗଞ୍ଜେଇ ଗୋଟିଏ ବାଇକ୍ ଓ ଗୋଟିଏ ଟାଟାଏସି ଗାଡ଼ି ସହ ନଗଦ ୩ହଜାର ୩୦୦ ଟଙ୍କା, ୪ଟି ମୋବାଇଲ ଜବତ ହୋଇଛି । ଜଣେ ମହିଳାଙ୍କ ସମେତ ୮ଜଣକୁ ଗିରଫ କରିଛି ଭଞ୍ଜନଗର ପୁଲିସ।

ଗିରଫ ଅଭିଯୁକ୍ତ ମାନେ ହେଲେ, ନୟାଗଡ଼ ଜିଲ୍ଲାର ଲକ୍ଷ୍ମୀଧର ସାହୁ, ବିକାଶ ସାହୁ, ସରୋଜ କୁମାର ସାହୁ, ଉସତା କହଁର, ରାକେଶ କୁମାର ସାହୁ, କନ୍ଧମାଳ ଜିଲ୍ଲାର ବିରେନ୍ଦ୍ର କୁମାର ସାହୁ, ମୁକେଶ ଦିଗାଲ, ଲିପି ବେହେରା। ସୂଚନାନୁସାରେ, ଭଞ୍ଜନଗର ପୋଲିସ ଡହ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପ୍ରଥମେ ବାଇକ ଚାଳକଙ୍କୁ ତଲାସୀ ନେଇଥିଲା। ସେହି ସମୟରେ ପଛରୁ ଗଞ୍ଜେଇ ଗାଡ଼ି ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ମାଫିଆ ସମେତ ମାଷ୍ଟରମାଇଣ୍ଡକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ପାଖାପାଖି ୩୦ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ରଞ୍ଜନ କୁମାର ଦେ। ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଥାନା ଅଧିକାରୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ: ରବି ନାରାୟଣ ଦାଶ

